Latest Odisha News

ଏମିତିି ମନ୍ଦିର, ଯେଉଁଠି ଜଳାଭିଷେକ କଲେ ଋଣରୁ ମିଳେ ମୁକ୍ତି

ରାଜସ୍ଥାନ: ବିଶ୍ୱାସରେ ଭଗବାନ ମିଳନ୍ତି ବୋଲି କୁହାଯାଏ । ବିଭିନ୍ନ ସମୟରେ ଏହି ଉକ୍ତିର ଅବତାରଣା ମଧ୍ୟ କରାଯାଇଥାଏ । ତେବେ ଏହାର ବାସ୍ତବତା କେତେ ତାହା ଅନୁଭବି ହିଁ କହିପାରନ୍ତି । ତେବେ ଦେବତାଙ୍କ ଉପରେ ଜଳାଭିଷେକ କଲେ ଋଣଗ୍ରସ୍ତ ହୋଇଥିବା ଲୋକଟି ଋଣମୁକ୍ତ ହୁଏ ବୋଲି ଶୁଣିଛନ୍ତି କି ? ଏମିତି ବିଶ୍ୱାସକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ।

ରାଜସ୍ଥାନର ନାଗୋରରେ ରହିଛି କୃଷ୍ଣ ମୁକ୍ତେଶ୍ୱର ମହାଦେବ ମନ୍ଦିର । ପ୍ରାୟ ୨୦୦ ବର୍ଷ ତଳେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ମନ୍ଦିରରେ ଜଳାଭିଷେକ କଲେ ଋଣ ବା ଧାରକରଜରୁ ମୁକ୍ତି ମିଳେ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ।

ମନ୍ଦିର ପୁରୋହିତ ସୁନୀଲ ମିଶ୍ର କହିଛନ୍ତି ଯେ, ଏହି ମନ୍ଦିରରେ ଥିବା ଶିବଲିଙ୍ଗ ଲାଲ ପଥରରେ ତିଆରି ହୋଇଛି । ଯେଉଁଥିରେ କୌଣସି ଜିନିଷ ମିଶାଯାଇ ନାହିଁ, ଏହି ଶିବଲିଙ୍ଗ ଏହାର ମୂଳ ଅବସ୍ଥାରେ ଅଛି । ଯଦି କୌଣସି ବ୍ୟକ୍ତି ଋଣକୁ ନେଇ ଚିନ୍ତିତ ହୁଅନ୍ତି, ତେବେ ସେ ପ୍ରତ୍ୟେକ ଦିନ ଏଠାକୁ ଆସି ଶିବଲିଙ୍ଗ ଉପରେ ପାଣି ଢାଳିଲେ ଋଣରୁ ମୁକ୍ତି ମିଳିଥାଏ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଆସି ନ ପାରନ୍ତି, ତାହାହେଲେ ସେ କେବଳ ପ୍ରତି ସୋମବାରରେ ମହାଦେବଙ୍କ ଉପରେ ପାଣି ଢାଳିଲେ ବି ମନସ୍କାମନା ପୂରଣ ହୋଇଥାଏ । ଶ୍ରାବଣମାସରେ ଏଠାରେ ଜଳାଭିଷେକ କରିବାକୁ ଲୋକଙ୍କ ଭିଡ଼ ଜମିଥାଏ ।

ଯେଉଁ ଭକ୍ତମାନେ ବାବାଙ୍କ ରୁଦ୍ରାଭିଷେକ କରିବାକୁ ଆସନ୍ତି ସେମାନେ ଘିଅ, ମହୁ, ଚିନି, କ୍ଷୀର, ବେଲପତ୍ର, ଗୋଲାପ, କଦଳୀ, ଗଙ୍ଗାଜଳ, ଲବଙ୍ଗ, ମିଠା ଏବଂ ବିଭିନ୍ନ ପ୍ରକାରର ଫଳ ଆଣି ଆସିଥାନ୍ତି ।

Comments are closed.