Latest Odisha News

ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ କିଛି ନେତା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯେଉଁ ମାମଲା ଏବେ ବେଶ ଗୁରୁତର ହୋଇ ପଡ଼ିଛି। ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ‘ବୟକଟ୍ ମାଳଦ୍ୱୀପ’ । ଭାରତ ବିରୋଧୀ ମନ୍ତବ୍ୟ ଦେବା ପରେ ବର୍ତ୍ତମାନ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ଦେଖି ମାଳଦ୍ବୀପରେ ଛୁଟି କଟାଇବାକୁ ମନସ୍ଥ କରିଥିବା ଭାରତୀୟମାନେ ଏବେ ମାଳଦ୍ୱୀପ ଗସ୍ତ ବାତିଲ କରି ଲକ୍ଷଦ୍ବୀପ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନେକ ସ୍କ୍ରିନ୍ ସଟ୍ ସୋସିଆଲ ମିଡିଆରେ ସେୟାର ମଧ୍ୟ କରାଯାଉଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ ନିଶ୍ଚିତ ହୋଇନାହିଁ।

ଏହାରି ଭିତରେ ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି ବୁକିଂ ସଂସ୍ଥା ନିଜ ଆପ୍ ରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି । ଇଜ୍ ମାଇଁ ଟ୍ରିପ ସିଇଓ ନିଶାନ୍ତ ପଟ୍ଟି ସୂଚନା ଦେଇ କହିଛନ୍ତି, ଦେଶର ଏକତାରେ ସାମିଲ ହୋଇ ଇଜ୍ ମାଇଁ ଟ୍ରିପ ପକ୍ଷରୁ ମାଳଦ୍ୱୀପକୁ ଯାଉଥିବା ସବୁ ଫ୍ଲାଇଟ୍‌ ବୁକିଂକୁ ବାତିଲ କରି ଦିଆଯାଇଛି । ସେପଟେ ଭାରତର ଏଭଳି ପଦକ୍ଷେପ ପରେ ଆଜି ଚୀନ ଗସ୍ତ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି । ତେଣୁ ଆଗକୁ ଭାରତ ଓ ମାଳଦ୍ୱୀପ ମଧ୍ୟ କୁଟନୈତିକ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ବୀପ ଗସ୍ତରେ ଯାଇ ସେଠାକାର ସମୁଦ୍ର ବେଳାଭୂମି ପର୍ଯ୍ୟଟନର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେଇଥିଲେ। ମୋଦୀଙ୍କ ଏପରି ପଦକ୍ଷେପରେ ମାଳଦ୍ବୀପର ମନ୍ତ୍ରୀ ଓ ଜନ ପ୍ରତିନିଧିମାନେ ଅସହିଷ୍ଣୁ ହୋଇ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ଜଣ ମନ୍ତ୍ରୀଙ୍କୁ ସରକାର ସେମାନଙ୍କ ପଦରୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ମନ୍ତ୍ରୀମାନେ​‌ ହେଲେ ମାଲସା ସରିଫ, ମାରିୟମ୍ ସୁନିଆ ଓ ଅବଦୁଲ୍ଲା ମାଝୁମ୍ ମାଜିଦ୍। ଅନ୍ୟପଟେ ମାଳଦ୍ବୀପ ସରକାର ମୋଦୀ ବିରୋଧୀ ମନ୍ତବ୍ୟକୁ ଅଗ୍ରାହ୍ୟ କରିଛନ୍ତି। ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ ମାରିୟମ ସୁନିଆଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

Comments are closed.