ନୂଆଦିଲ୍ଲୀ: ପାକିସ୍ତାନକୁ କରୁଥିଲେ ସମର୍ଥନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍ । ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ । ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି । ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଥିଲେ ତୁର୍କୀ ଅଜରବୈଜାନ ପରି ଦେଶ । ଏବେ ଏହି ଦୁଇ ଦେଶକୁ ନଯିବାକୁ ହଜାର ହଜାର ଭାରତୀୟ ଅପିଲ୍ କରୁଛନ୍ତି । ୨୦୨୪ରେ ୨ଲକ୍ଷ ୪୦ହଜାର ଭାରତୀୟ ଅଜରବୈଜାନ ଓ ୩ଲକ୍ଷ ୩୦ହଜାର ତୁର୍କୀ ଯାଇଥିଲେ । ହେଲେ ଶତ୍ରୁ ଦେଶକୁ ସମର୍ଥନ କରିଥିବା ଏହି ଦୁଇ ଦେଶକୁ କାହିଁକି ଅର୍ଥ ଦେବା? ତେଣୁ ଭାରତୀୟଙ୍କୁ ଅନ୍ୟ କୌଣସି ଦେଶକୁ ଯିବାକୁ ସୋସିଆଲ୍ ମିଡିଆରେ ୟୁଜର୍ସ ଅପିଲ୍ କରିଛନ୍ତି ।
ବୁଲି ଯିବା ପ୍ଲାନ୍ କ୍ୟାନସେଲ୍
ତୁର୍କୀ ଓ ଅଜରବୈଜାନ ପୂର୍ବରୁ ଭାରତୀୟ ପର୍ଯ୍ୟଟକଙ୍କ ବେଶ୍ ପସନ୍ଦ ଥିଲା । ଗତ କିଛି ବର୍ଷ ଧରି ଅନେକ ଭାରତୀୟ ପର୍ଯ୍ୟଟକ ଦୁଇ ଦେଶକୁ ବୁଲି ଯାଉଥିଲେ । ଏପରିକି ଚଳିତ ବର୍ଷ ମଧ୍ୟ ଅନେକ ବୁଲି ଯିବା ପାଇଁ ଯୋଜନା ବି କରିଥିଲେ । ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ହେବା ପରେ ଏବେ ପ୍ଲାନ୍ କ୍ୟାନସେଲ୍ କରିବାକୁ ଚାହୁଁଛନ୍ତି ପର୍ଯ୍ୟଟକ । ତେଣୁ ବୁକିଂ ଉପରେ ଏହାର ପ୍ରଭାବ ନିଶ୍ଚିତ ରୂପେ ପଡିବ ବୋଲି ଆଉଟବାଉଣ୍ଡ ଟୁର୍ ଅପରେଟର୍ସ ଆସୋସିଏନ୍ ଅଫ୍ ଇଣ୍ଡିଆ ବା ଏଟିଓଆଇଏ ଅଧ୍ୟକ୍ଷ ହିମାଂଶୁ ପାଟିଲ କହିଛନ୍ତି । ତେବେ ଲୋକ ଯାହା ଭାବୁଛନ୍ତି, ତାହା ଠିକ୍ ବୋଲି ସେ କହିଛନ୍ତି ।
ଯିଏ ଦେଶର ବିରୋଧୀ…
ଆତଙ୍କବାଦ ବିରୋଧରେ ଭାରତ ଅପରେସନ୍ ସିନ୍ଦୂର କରିଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପୂରା ଦେଶ ଭାରତୀୟ ସେନା ସହ ଠିଆ ହୋଇଥିଲା । ଏହି ସମୟରେ କୌଣସି ଦେଶ ଯଦି ଆମ ଶତ୍ରୁ ଦେଶକୁ ସହଯୋଗ କରେ, ତେବେ ସେ ଭାରତ ବିରୋଧୀ ବୋଲି ମନେ କରାଯିବ । ତେଣୁ ଶତ୍ରୁର ମିତ୍ର ସାଜିଥିବା ତୁର୍କୀ ଓ ଅଜରବୈଜାନ ନଯିବାକୁ ଅପିଲ୍ କରାଯାଉଛି । ଏପରିକି ତୁର୍କୀ ନାଗରିକଙ୍କୁ ମଧ୍ୟ ଭାରତରେ ରହିବା ପାଇଁ ଆଗଭଳି ସୁବିଧା ଦିଆଯିବନି ବୋଲି କହିଛନ୍ତି ଗୋଆ ଭିଲାସର ଫାଉଣ୍ଡର ସିଦ୍ଧାର୍ଥ ବାକାରିଆ। ତୁର୍କୀ ଏୟାରଲାଇନ୍ସ ସହ ସେ ତାଙ୍କର ପାର୍ଟନରସିପ୍ ଶେଷ କରିଛନ୍ତି । ଦେଶ ସହ ସେ ଠିଆ ହୋଇଛନ୍ତି ଓ ସେଥିପାଇଁ ତୁର୍କୀ ନାଗରିକଙ୍କୁ ଗୋଆରେ ରହିବାର ସୁବିଧା ଦେବେନି ବୋଲି ସିଦ୍ଧାର୍ଥ କହିଛନ୍ତି ।
ଟ୍ରେଣ୍ଡ କରୁଛି ବୟକଟ୍ ଟୁରିଜିମ୍
ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବା ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଏଥିରେ ୧୨ହଜାରରୁ ଅଧିକ ପୋଷ୍ଟ ରହିଛି । କାରଣ ପାକିସ୍ତାନକୁ ସମର୍ଥନ ନେଇ ଉଭୟ ତୁର୍କୀ ଓ ଅଜରବୈଜାନ ବୟାନ ଦେଇଥିଲେ । ଗତ କିଛି ବର୍ଷ ହେଲା ଦୁଇ ଦେଶକୁ ଭାରତୀୟ ପର୍ଯ୍ୟଟକ ଅଧିକ ମାତ୍ରାରେ ଯାଉଥିଲେ । ଉନ୍ନତ ବିମାନ ଯୋଗାଯୋଗ, ବିବାହ ଓ କର୍ପୋରେଟ୍ ଇଭେଣ୍ଟ ପାଇଁ ମଧ୍ୟ ଭାରତୀୟ ତୁର୍କୀ ଓ ଅଜରବୈଜାନକୁ ବାଛୁଥିଲେ । ତୁର୍କୀ ପର୍ଯ୍ୟଟନ ବୋର୍ଡ ସୂଚନା ଅନୁସାରେ ୨୦୨୩ରେ ସାରା ବିଶ୍ବରୁ ତୁର୍କୀକୁ ୬କୋଟି ୨୨ଲକ୍ଷ ଲୋକ ଆସିଥିଲେ । ଏଥିରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ପ୍ରତିଶତ ବଢିଥିଲା । ଅଜରବୈଜାନ ଯିବାକୁ ମଧ୍ୟ ଭାରତୀୟ ପସନ୍ଦ କରୁଥିଲେ । ୨୦୨୪ ଜାନୁଆରୀ ମାସରେ ୧୭ହଜାରରୁ ଅଧିକ ଭାରତୀୟ ସେଠାକୁ ଯାଇଥିଲେ । ସେହିପିର ୨୦୨୪ରେ ମୋଟ୍ ୨ଲକ୍ଷ ୪୩ହଜାର ଭାରତୀୟ ଅଜରବୈଜାନ ଯାଇଥିଲେ । ଏବେ ପାକିସ୍ତାନକୁ ସମର୍ଥନ କରିବା ପରେ ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବାକୁ ଅପିଲ୍ କରାଯାଉଛି । ଏଭଳି ହେଲେ ଦୁଇ ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇପାରେ ।
Comments are closed.