Latest Odisha News

କାହିଁକି ଜେଲ୍ ଗଲେ ପ୍ରଶାନ୍ତ କିଶୋର?

ନୂଆଦିଲ୍ଲୀ: ବେଲ୍ ସର୍ତ୍ତରେ ରାଜି ହେଲେନି । ଜେଲ୍ ଗଲେ ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋର । ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପାଟନା ଗାନ୍ଧୀ ମଇଦାନରେ ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ଗିରଫ କରିଥିଲା ପୋଲିସ । ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ନିଆଯାଇଥିଲା। ଏହାପରେ ପାଟନା ସିଭିଲ୍ କୋର୍ଟ ପ୍ରଶାନ୍ତ କିଶୋରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ସର୍ତ୍ତ ଅନୁସାରେ ଭବିଷ୍ୟତରେ କୌଣସି ଧାରଣା ବା ପ୍ରଦର୍ଶନରେ ସାମିଲ ହୋଇପାରିବେନି ପିକେ । ତେବେ କୋର୍ଟଙ୍କ ସର୍ତ୍ତ ଅନୁସାରେ ବେଲ୍ ବଣ୍ଡରେ ଦସ୍ତଖତ କରିବାକୁ ମନା କରିଛନ୍ତି ପ୍ରଶାନ୍ତ କିଶୋର । ଯୁବକଙ୍କ ସହ ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ଯଦି ଦୋଷ ତେବେ ସେ ଜେଲ୍ ଯିବାକୁ ଉଚିତ୍ ମଣିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଜେଲରେ ବି ଆମରଣ ଅନଶନ ଜାରି ରଖିବେ ପିକେ ।

ବିହାର କ୍ଷମତା ପାଇଁ ଅନଶନ ଅସ୍ତ୍ର !

ଚଳିତ ବର୍ଷ ବିହାରରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଶାନ୍ତ କିଶୋରଙ୍କ ପାଇଁ ବର୍ଷ ୨୦୨୫ ଅଗ୍ନିପରୀକ୍ଷାର ବର୍ଷ । ବର୍ଷ ଆରମ୍ଭରୁ ହିଁ ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନରେ ସାମିଲ ହୋଇ ବଡ ସନ୍ଦେଶ ଦେଇଛନ୍ତି ପିକେ । ଆଉ ବର୍ଷ ଶେଷ ସୁଦ୍ଧା ପିକେଙ୍କ ରାଜନୈତିକ କ୍ୟାରିୟର ଭବିଷ୍ୟତ ନିର୍ଣ୍ଣୟ ହେବ । ପୂର୍ବରୁ ଅନେକ ରାଜନୈତିକ ଦଳଙ୍କୁ ନିର୍ବାଚନ ଜିତିବାର ସଫଳ ମନ୍ତ୍ର ଦେଇଥିବା ପିକେ ନିଜ ରାଜନୈତିକ ପୃଷ୍ଠଭୂମିକୁ ଶକ୍ତ କରିବାକୁ ଅନଶନକୁ ଅସ୍ତ୍ର କରିଛନ୍ତି । ଜାନୁଆରୀ ୨ତାରିଖରୁ ପରୀକ୍ଷାର୍ଥୀଙ୍କ ସମର୍ଥନରେ ଆମରଣ ଅନଶନରେ ବସିଛନ୍ତି ପିକେ । ଆନ୍ଦୋଳନସ୍ଥଳରେ ପିକେଙ୍କ ଭ୍ୟାନିଟି ଭ୍ୟାନକୁ ନେଇ ଅନେକ ସମାଲୋଚନା ହୋଇଥିଲା । ଅନଶନରେ ବସିଥିବା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ସୋମବାର ଭୋରରୁ ଉଠାଇ ନେଇଥିଲା । ପରେ ତାଙ୍କୁ ବେଲ୍ ମିଳିଥିଲେ ବି ସର୍ତ୍ତ ନମାନି ଜେଲ୍ ଯାଇଛନ୍ତି ପିକେ । ଜେଲ୍ ଯାଇ ଗୋଟେ ଗୁଳିରେ ଅନେକ ଶିକାର କରିଛନ୍ତି। ଗୋଟେପଟେ ପରୀକ୍ଷାର୍ଥୀଙ୍କ ପାଇଁ ଜେଲ୍ ଯାଇ ସମବେଦନା ପାଇବା ସହ ଅନ୍ୟାୟ ବିରୋଧରେ ଲଢିବାର ପ୍ରତିବଦ୍ଧତା ଦେଖାଇଛନ୍ତି ।

କେବଳ ନିର୍ବାଚନ ଜିତିବାକୁ ଆସିନି…

କେବଳ ନିର୍ବାଚନ ଜିତିବାକୁ ନୁହେଁ ବରଂ ପ୍ରକୃତ ପରିବର୍ତ୍ତନ ଆଣିବାକୁ ଆସିଛନ୍ତି । ଆଉ ଏହି ପରିବର୍ତ୍ତନ ଲୋକଙ୍କଠାରୁ ଆରମ୍ଭ ହେବା ଜରୁରୀ । ସମର୍ଥକଙ୍କୁ ଏଭଳି ସମ୍ବୋଧିତ କରି ପଦଯାତ୍ରା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ବିହାରର ସମସ୍ୟା ବୁଝିବା ତଥା ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପଦଯାତ୍ରା ଆରମ୍ଭ କରିଥିଲେ । ୬୬୫ଦିନରେ ୨୬ଶହ ୯୭ଟି ଗାଁଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ପ୍ରଶାନ୍ତ କିଶୋର । ଏହାପରେ ବିହାରର ୪ଟି ବିଧାନସଭା ସିଟରେ ଉପନିର୍ବାଚନ ହେଲା । ଏଥିରେ ପ୍ରଶାନ୍ତ କିଶୋରଙ୍କ ଲୋକପ୍ରିୟତା, ବିଚାରଧାରା ଓ ବ୍ରାଣ୍ଡର ପ୍ରକୃତ ପରୀକ୍ଷା ହୋଇଥିଲା ।

ଉପନିର୍ବାଚନ ବିପର୍ଯ୍ୟୟ

ବିହାର ଉପନିର୍ବାନଚରେ ସେଭଳି କମାଲ କରିପାରିଲେନି ପ୍ରଶାନ୍ତ କିଶୋର । ୪ଟି ସିଟ ମଧ୍ୟରୁ ୩ଟିରେ ତାଙ୍କ ଦଳ ତୃତୀୟ ନମ୍ବରରେ ତ ଗୋଟିଏରେ ଚତୁର୍ଥ ନମ୍ବରରେ ରହିଲା । ସଫଳ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପାଇଁ ଏହା ବଡ ଝଟକା ଥିଲା । ତେବେ ଉପନିର୍ବାଚନରେ ଦଳକୁ ୭୦ହଜାର ଭୋଟ୍ ମିଳିଛି, ୨୦୨୫ରେ ଦଳ ନିର୍ବାଚନ ଜିତିବ ବୋଲି ଦମ୍ଭ ଦେଖାଇଥିଲେ ପିକେ । ଚଳିତ ବର୍ଷ ବିହାରରେ ହେବାକୁ ଥିବା ନିର୍ବାଚନରେ ସବୁ ସିଟରେ ପ୍ରାର୍ଥୀ ଦେଇପାରେ ଜନସୂରାଜ ପାର୍ଟି । ସେଥିପାଇଁ ପ୍ରଶାନ୍ତ କିଶୋରଙ୍କ ଫୋକସରେ ରହିଛନ୍ତି ଯୁବବର୍ଗ । ବିପିଏସସି ଆନ୍ଦୋଳନରେ ସାମିଲ ହୋଇ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନ ନିଜ ଆଡକୁ ନେବାକୁ ଉଦ୍ୟମ କରୁଛନ୍ତି ପିକେ । ପରୀକ୍ଷାର୍ଥୀଙ୍କ ପାଇଁ ଜେଲ୍ ଯାଇ ସେମାନଙ୍କ ପରିବାର ଲୋକଙ୍କ ସମବେଦନା ବି ପାଇବେ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିର ମଞ୍ଚ ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର । ବିପିଏସସି ଆନ୍ଦୋଳନରେ ସାମିଲ ହେବାକୁ ନେଇ ତାଙ୍କୁ ଆରଜେଡିର ତେଜସ୍ବୀ ଯାଦବ ବାରମ୍ବାର ଟାର୍ଗେଟ୍ କରୁଛନ୍ତି।  ଶ୍ରେୟ ରାଜନୀତିକୁ ନେଇ ଉଭୟଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ହେଉଥିବା କୁହାଯାଉଛି । ତେବେ ଜେଲ୍ ଯାଇ ପିକେ ଜନସୂରାଜ ପାଇଁ ଗୋଲ୍ କରିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.