Latest Odisha News

ବିପିଏସସି ପାଟନା ଆନ୍ଦୋଳନ: ପ୍ରଶାନ୍ତ କିଶୋରଙ୍କ ନାଁରେ ମାମଲା ରୁଜୁ

ପାଟନା: ବିହାରର ରାଜଧାନୀ ପାଟନାରେ ବିପିଏସସି ଆଶାୟୀଙ୍କ ଉପରେ ଲାଟିଚାର୍ଜ ଘଟଣା ପରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଆନ୍ଦୋଳନରୁ ପଳାୟନ କିଥିବା ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ସେ ଗାନ୍ଧୀ ମଇଦାନ ଛାଡି ପଳାଇ ଯାଇନାହାଁନ୍ତି। ଆଗକୁ ଏହି ଆନ୍ଦୋଳନ ଅଧିକ ତୀବ୍ର ହେବ। ଛାତ୍ରମାନେ କୌଣସି ଭଙ୍ଗାରୁଜା କରିନାହାଁନ୍ତି। ଗାନ୍ଧୀ ମଇଦାନରେ ପ୍ରଦର୍ଶନ କରିବାକୁ ଅନୁମତି ଆବଶ୍ୟକ ନାହିଁ।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗାନ୍ଧୀ ଭୂମିରେ ଛାତ୍ରମାନେ ମିଳିତ ବସିବେ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ଯେଉଁଠାରେ ଛାତ୍ର ସଂସଦ ଅନୁଷ୍ଠିତ ହେବ ଏବଂ ଭବିଷ୍ୟତର ରଣନୀତି ସ୍ଥିର ହେବ ସେ ନେଇ ଗତକାଲିଠାରୁ ନିଷ୍ପତ୍ତି ନିଆଯାଇଛି। ଯଦି ସରକାର କହୁଛନ୍ତି ଯେ ଆମେ ଅନୁମତି ନେଇ ନାହୁଁ, ଏହା ସମ୍ପୂର୍ଣ୍ଣ ଭୁଲ୍। ଗାନ୍ଧୀ ମଇଦାନରେ ଅନୁମତି ନେବାର ପ୍ରଶ୍ନ ଉଠୁନି। କାରଣ ଗାନ୍ଧୀ ମଇଦାନ ଏକ ସର୍ବସାଧାରଣ ସ୍ଥାନ। ଲୋକମାନେ ଦୌଡ଼ିବା, କଥାବାର୍ତ୍ତା ଏବଂ ବସିବା ପାଇଁ ସେଠାକୁ ଯାଆନ୍ତି। ପ୍ରାର୍ଥୀମାନେ ସେଠାରେ ବିରୋଧ କରିନଥିଲେ। ସେଠାରେ ସମସ୍ତ ଛାତ୍ର ଏକତ୍ରିତ ହୋଇଥିଲେ ଏବଂ ସେଠାରେ ଉତ୍ତେଜନା ଦେଖାଦେଇ ନଥିଲା।

ତେବେ ଏହି ସବୁ ଭିତରେ ଅଡୁଆରେ ପଡିଗଲେ ପ୍ରଶାନ୍ତ କିଶୋର। ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଦ୍ୱାରା ଜାରି ରହିଥିବା ବିକ୍ଷୋଭକୁ ସମର୍ଥନ କରି ଅଡ଼ୁଆରେ ପଡିଛନ୍ତି। ଗତକାଲି ଛାତ୍ର ଉତ୍ତେଜନା ପରେ ପ୍ରଶାନ୍ତ କିଶୋରଙ୍କ ସମେତ ଦଳର ରାଜ୍ୟ ସଭାପତି ମନୋଜ ଭାରତୀ ଓ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ପରୀକ୍ଷାର୍ଥୀଙ୍କୁ ରାଜରାସ୍ତାରେ ଆସି ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ଉପରେ ଅନେକ ଗମ୍ଭୀର ଧାରା ଲାଗୁ କରିଛି ବିହାର ପୋଲିସ।

କାଲିର ଉତ୍ତେଜନା ପାଇଁ ୬୦୦ରୁ ଅଧିକ ଅଜଣା ବିକ୍ଷୋଭକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ପ୍ରଶାସନର ଅନୁମତି ନମିଳିବା ସତ୍ତ୍ୱେ ଗାନ୍ଧୀ ମଇଦାନରେ ଆସି ବିକ୍ଷୋଭ କରିବା ଓ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋର ଏବଂ ମନୋଜ ଭାରତୀଙ୍କ ବ୍ୟତୀତ ଏକ କୋଚିଂର ସଂଚାଳକ ରହମାଂସୁ ମିଶ୍ର, ନିଖିଲମଣି ତିୱାରୀ, ସୁଭାଷ କୁମାର ଠାକୁର, ଶୁଭମ ସ୍ନେହିଲ, ଆନନ୍ଦ ମିଶ୍ର, ରାକେଶ କୁମାର ମିଶ୍ର, ବିଷ୍ଣୁ କୁମାରଙ୍କ ସମେତ ମୋଟ ୨୧ ଜଣଙ୍କୁ ମାମଲାଭୁକ୍ତ କରିଛି ପୋଲିସ।

ଉଲ୍ଲେଖଯୋଗ୍ୟ, ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀମାନେ ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି। ଏକ ବିବୃତ୍ତି ଜାରି କରି ବିହାର ପୋଲିସ କହିଛି ଯେ, ଗାନ୍ଧୀ ମଇଦାନରେ ରବିବାର ଏକ ଛାତ୍ର ଆନ୍ଦୋଳନର ଆୟୋଜନ ପାଇଁ ପ୍ରଶାନ୍ତ କିଶୋରଙ୍କ ଦଳ ପ୍ରଶାସନକୁ ଅନୁମତି ମାଗିଥିଲା। ହେଲେ ପ୍ରଶାସନ ଏହି ଅନୁମତି ଦେଇନଥିଲା। ଏହା ସତ୍ତ୍ୱେ ସେଠାରେ ଅନଧିକୃତ ଭାବେ ଛାତ୍ରଙ୍କୁ ମେଳି କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇଥିଲା।

Comments are closed.