Latest Odisha News

BREAKING NEWS

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା । କିନ୍ତୁ ଶିକ୍ଷା ବିଭାଗର ଅବହେଳା ହେଉ କିମ୍ବା ଜିଲା ପ୍ରଶାସନର ଆନ୍ତରିକତାର ଅଭାବରୁ ଆଜି ଉକ୍ତ ଖେଳପଡିଆ ଲଟା ବୁଦାରେ ପରିପୂର୍ଣ୍ଣ ହୋଇ ଯାଇଛି ।

ତେବେ ବିଳମ୍ବରେ ହେଲେ ସୁଧା ଉକ୍ତ ଖେଳ ପଡିଆର ରୂପରେଖ ବଦଳିବାକୁ ଯାଉଛି । ଅତ୍ୟାଧୁନିକ ଇଣ୍ଡୋର ଗେମ ହଲ ନିର୍ମାଣ ହେବ ।

ଦେଢ଼ ଏକର ପରିମିତ ସ୍ଥାନରେ ଥିବା ଉକ୍ତ ଖେଳ ପଡିଆ ଆଜି ହତାଦର ହୋଇ ପଡି ରହିଛି। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଏଠାରେ ସମସ୍ତ ପ୍ରକାର ଇଣ୍ଡୋର୍‌ ଗେମ୍‌ ପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ବ୍ୟୟ ଅଟକଳ ସ୍ଥିର ହୋଇ ନାହିଁ। ରାଜ୍ୟ ସରକାରଙ୍କ ଅନୁଦାନରେ ହେବାକୁ ଥିବା ଉକ୍ତ ଇଣ୍ଡୋର୍‌ ଗେମ୍‌ ହଲ୍‌ର ରୂପରେଖ ସହିତ ଟେଣ୍ଡର ମଧ୍ୟ ଆହ୍ବାନ କରାଯିବ ବୋଲି ସୂଚନା ମିଳିଛି ।

 

ଏଠାରେ ବାସ୍କେଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଜିମ୍‌ ଭଳି ଅନେକ ପ୍ରକାର କ୍ରୀଡା ଉପକରଣ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୧୦ ମସିହା ପରଠୁ ଅବହେଳିତ ହୋଇ ରହିଥିବା ଉକ୍ତପଡିଆ ଖେଳ ଉପଯୋଗୀ ହେଉନଥିବା ବେଳେ ବର୍ଷା ହେଲେ କୃତ୍ରିମ ହ୍ରଦ ସୃଷ୍ଟି ହେଉଥିଲା । ରାସ୍ତା ଠାରୁ ନିମ୍ନ ସ୍ତରରେ ରହିଥିବା ଯୋଗୁ ଅଳ୍ପ ବର୍ଷା ହେଲେ ପାଣି ଭିତରକୁ ଆସିଯାଉଛି ।

ପୂର୍ବରୁ ସହରବାସୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରୁଥିଲା। ଏପରିକି ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ପଡୋଶୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଭଳି ଅନେକ ବଡ଼ ରାଜନେତାଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ​ହୋଇଛି । କିନ୍ତୁ କାଳ କ୍ରମେ ଅବହେଳାର ଶିକାର ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ପ୍ରାୟ ୨୫ଲକ୍ଷ ଟଙ୍କା ବ୍ୟୟରେ ଏହାର ଚର୍ତୁପାର୍ଶ୍ୱ ପାଚେରୀ ନିର୍ମାଣ ହୋଇଥିଲା । ତଥାପି ପଡ଼ିଆର ବିଶେଷ ଉନ୍ନତି ହୋଇନଥିଲା ।

ପଡ଼ିଆର ଉନ୍ନତିକରଣ ସହ ଖେଳ ଉପଯୋଗୀ କରିବାକୁ ଅନେକ ବର୍ଷ ହେଲା ସହରବାସୀ ଏବଂ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ମଧ୍ୟରେ ଦାବି ହେଉଥିଲା । ବର୍ତ୍ତମାନ ଏହି ଦାବି ପୂରଣ ହେବାକୁ ଯାଉଛି ।

Comments are closed.