Latest Odisha News

ଦିଲ୍ଲୀରେ ବିଧାୟକ ସୁରେଶ ପୂଜାରୀ, କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

ଭୁବନେଶ୍ଵର: କିଏ ହେବ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ? ଏନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ । ତେବେ ଦିଲ୍ଲୀରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କ ଉପସ୍ଥିତି ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ହେଉଛି ଆଲୋଚନା । ଏହାରି ଭିତରେ ଆଜି ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ସୁରେଶ ।

ସୂଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢିବାକୁ ଯାଇଛି । ଏଥିସହ ଦୀର୍ଘ ୨୪ ବର୍ଷ ହେବ କ୍ଷମତାରେ ଥିବା ବିଜେଡି ଗଡ ଭାଙ୍ଗିଛି । ତେବେ ଜୁନ ୪ରୁ ନିର୍ବାଚନ ଫଳାଫଳ ବାହାରିସାରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏଯାବତ୍ ନିଶ୍ଚିତ କରିପାରୁନି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଭିତରେ ଏପରି ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଆସନ୍ତାକାଲି ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏ ଯାଏଁ ସ୍ପଷ୍ଟ ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ। ସେପଟେ ମୁଖ୍ୟମନ୍ତ୍ରୀ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଧାୟକ ଦଳ ବୈଠକକୁ ଏବେ ଅପେକ୍ଷା । କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପରେ ୧୦ ତାରିଖ ସକାଳେ ବସିବ ବିଧାୟକ ଦଳ ବୈଠକ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ ସହ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର ହେବ ।

Comments are closed.