Latest Odisha News

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ, ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ମୋଟ ୨୭୯ଟି ବୁଥରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨% ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ନିୟମ ଅନୁଯାୟୀ ମତଦାନ ଶେଷ ହୋଇଥିଲା।

ଏହି ମତଦାନ ବେଳେ ଅନେକ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେଇଥିଲେ। ମହିଳା ଭୋଟରଙ୍କୁ ଅଧିକରୁ ଅଧିକ ମତଦାନରେ ସାମିଲ କରିବା ପାଇଁ ପାଞ୍ଚଟି ପିଙ୍କ୍ ବୁଥ୍ କରାଯାଇଥିଲା। ଏପରିକି ୩୦ଟି ଆଦର୍ଶ ମତଦାନ କେନ୍ଦ୍ରରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥିଲା। ସେହିପରି ପ୍ରବଳ ଖରା ହେଉଥିବାରୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ବହୁ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ଯେଉଁମାନେ ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ଅସହାୟ ଲୋକଙ୍କୁ ସହାୟତା କରୁଥିଲେ। ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ବିଭିନ୍ନ ମତଦାନ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ସମେତ ବ୍ୟବସ୍ଥା କରାଯାଇଥିଲା।

ଭୋଟିଂ ବେଳେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବ୍ରଜରାଜନଗରରେ ଲଖନପୁର ବ୍ଲକ ପାଣ୍ଡ୍ରି ପଞ୍ଚାୟତର ବେଙ୍କମୁରା ଗାଁରେ ୨୭୨ ଜଣ ଭୋଟର ରୁହନ୍ତି । ଏହି ଗାଁରେ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ଏଠାର ଥିବା ସରକାରୀ ସ୍କୁଲକୁ ବନ୍ଦ କରିଦେଇଛନ୍ତି ସରକାର । ଏବେ ପୁଣିଥରେ ସ୍କୁଲ ଖୋଲିବା ପାଇଁ ଦାବି କରି ଏହି ଉପ-ନିର୍ବାଚନକୁ ବର୍ଜନ କରିଛନ୍ତି ଏଠିକାର ଭୋଟର।

Leave A Reply

Your email address will not be published.