Latest Odisha News

BREAKING NEWS

ବ୍ରେଭିସ ଭାଙ୍ଗି ପାରିଲେନି କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଶେଷ ହୋଇଯାଇଛି । ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଛି । ଏହି ସିରିଜରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେୱାଲ୍ଡ ବ୍ରେଭିସଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ସେ ଏହି ସିରିଜରେ ୧୮୦ ରନ କରିଥିଲେ । ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ବିରାଟ କୋହଲିଙ୍କ ରେକର୍ଡ ଭଙ୍ଗ କରିପାରି ନାହାନ୍ତି । କୋହଲି ୨୦୧୬ରେ ୧୯୯ ରନ କରିଥିଲେ । ସେ ପ୍ରଥମ ମ୍ୟାଚରେ ୯୦, ଦ୍ୱିତୀୟ ମୁକାବିଲାରେ ୫୯ ଓ ଶେଷ ମ୍ୟାଚରେ ୫୦ ରନ କରିଥିଲେ । ପ୍ରଥମ ୨ଟି ମ୍ୟାଚରେ କୋହଲି ଅପରାଜିତ ରହିଥିଲେ ।

ଅପରପକ୍ଷରେ ବ୍ରେଭିସ ପ୍ରଥମ ମ୍ୟାଚରେ ୨ ରନ କରିଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ରେକର୍ଡ ୧୨୫ ନଟଆଉଟ ଇନିଂସ ଖେଳିଥିଲେ । ତୃତୀୟ ତଥା ଅନ୍ତିମ ଟି୨୦ରେ ସେ ୫୩ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ୨୦୨୫ରେ ବ୍ରେଭିସ ଏ ପର୍ଯ୍ୟନ୍ତ ଓଭରାଲ ୭୯ ଛକା ମାରି ସାରିଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆର ମିଚେଲ ଓୱେନ(୭୭) ଓ ପାକିସ୍ତାନର ସାହିବଜାଦା ଫରହାନ(୭୭) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଏଥର ବ୍ରେଭିସଙ୍କୁ ତାର ଦଳରେ ସାମିଲ କରିଛି । ୨୦୨୬ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

Comments are closed.