ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା ୨୦୨୬’ ବିନା କୌଣସି ଆପତ୍ତିରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ଘୋଷଣା କରିଛନ୍ତି । ଏହି ଐତିହାସିକ ଯୁଗ୍ମ ଘୋଷଣାନାମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଗତ ୨୦୨୫ ମସିହା ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଅନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟକୁ ଏହି ବୈଠକରେ ବ୍ୟାପକ ସମର୍ଥନ ମିଳିଛି । ଘୋଷଣାନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ପହଲଗାମ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ପ୍ରାଣହାନି ଏବଂ ଅନେକ ଆହତ ହେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଆତଙ୍କବାଦ ପ୍ରତି ‘ଜିରୋ ଟୋଲରାନ୍ସ’ ନୀତି ଆପଣାଇବାକୁ ବ୍ରିକ୍ସ ଗୋଷ୍ଠୀ ଆହ୍ୱାନ ଦେଇଛନ୍ତି। ଏଥିସହ ଆତଙ୍କବାଦକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି କିମ୍ବା ସମ୍ପ୍ରଦାୟ ସହ ଯୋଡ଼ା ନଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ସୀମାପାର ଆତଙ୍କବାଦ, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇଦେବା ଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରାଯାଇଛି । ଆତଙ୍କବାଦ ବିରୋଧୀ ଲଢ଼େଇରେ କୌଣସି ପ୍ରକାରର ‘ଦୈତ ନୀତି’କୁ ବ୍ରିକ୍ସ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି ।
ଭାରତ ପାଇଁ ଆଉ ଏକ ଆଶ୍ୱସ୍ତିକର ବିଷୟ ହେଲା, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ନେଇ ବ୍ରିକ୍ସ ଦେଶଗୁଡ଼ିକର ଦୃଢ଼ ସମର୍ଥନ । ସୁରକ୍ଷା ପରିଷଦକୁ ଅଧିକ ଗଣତାନ୍ତ୍ରିକ, ପ୍ରଭାବଶାଳୀ ଏବଂ ପ୍ରତିନିଧିମୂଳକ କରିବା ଉପରେ ଏହି ଘୋଷଣାନାମାରେ ଜୋର ଦିଆଯାଇଛି । ବିଶେଷକରି ଜାତିସଂଘରେ ଭାରତ ଏବଂ ବ୍ରାଜିଲର ବୃହତ୍ତର ଭୂମିକା ଗ୍ରହଣ କରିବା ଆକାଂକ୍ଷାକୁ ଚୀନ୍ ଓ ରୁଷିଆ ଭଳି ଭେଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ପୁନର୍ବାର ସମର୍ଥନ ଜଣାଇଛନ୍ତି ।
ଏହି ୧୮ତମ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା “ସ୍ଥିତିସ୍ଥାପକତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ପାଇଁ ନିର୍ମାଣ”। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୪ଟା ପର୍ଯ୍ୟନ୍ତ ଚାଲିଥିବା ଘନଘନ ଆଲୋଚନା ପରେ ଶେଷରେ ୧୧ଟି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏହି ସହମତି ସୃଷ୍ଟି ହୋଇପାରିଥିଲା। ଉଦଯାପନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ଶାସନ ବ୍ୟବସ୍ଥାରେ ସମାନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ଭବିଷ୍ୟତର ଜ୍ଞାନକୌଶଳ ଏବଂ ନିୟମ ପ୍ରସ୍ତୁତ କରିବାରେ ‘ଗ୍ଲୋବାଲ ସାଉଥ’ର ସମାନ ଭାଗିଦାରୀ ରହିବା ଆବଶ୍ୟକ। ନୂଆଦିଲ୍ଲୀ ଘୋଷଣାନାମାର ସଂକଳ୍ପକୁ ବାସ୍ତବ ରୂପ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ ବିଶ୍ୱ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

