ଫାରୁଖବାଦ୍ : ଚାଲିଥିଲା ବିବାହ ଉତ୍ସବ । ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ । ହେଲେ ହଠାତ୍ ବେଦୀରୁ ଉଠିଗଲା କନ୍ୟା, ଆଉ ଭାଙ୍ଗିଗଲା ବାହାଘର । ଆଶ୍ଚର୍ଯ୍ୟ ହୋଇଗଲେ ପରିବାର ଲୋକେ ।ଏଭଳି ଘଟଣା ଉତ୍ତର ପ୍ରଦେଶର ଫାରୁଖବାଦରେ ଘଟିଛି ।
ତେବେ କାହିଁକି ବାହାଘର ଭାଙ୍ଗିଗଲା ବୋଲି ସମସ୍ତଙ୍କ ମନରେ ଥିଲା ଏହି ଗୋଟାଏ ପ୍ରଶ୍ନ । କିନ୍ତୁ ବାହାଘର ଭାଙ୍ଗିବାର କାରଣ କିଛି ଅଲଗା ଥିଲା ।
ସୂଚନା ଅନୁଯାୟୀ, ୨୧ ବର୍ଷୀୟା ରୀତା ସିଂଙ୍କ ବାହାଘର ମୋହିତଙ୍କ ସହ ଠିକ୍ ହୋଇଥିଲା। କିନ୍ତୁ ବିବାହ ଦିନ ହିଁ ବାହାଘର ଭାଙ୍ଗିଯାଇଛି । ମୋହିତଙ୍କ ଆଚରଣ ଦେଖି ବାହାଘର କରୁଥିବା ପଣ୍ଡିତଙ୍କର ସନ୍ଦେହ ହୋଇଥିଲା । ଏ କଥା ସେ କନ୍ୟା ଘର ଲୋକଙ୍କୁ ଜଣାଇଥିଲେ। ରୀତାଙ୍କ ଘର ଲୋକେ ସତ କ’ଣ ଜାଣିବା ପାଇଁ ମୋହିତଙ୍କୁ ୩୦ଟି ୧୦ ଟଙ୍କିଆ ନୋଟ୍ ଗଣିବାକୁ ଦେଇଥିଲେ। ମୋହିତ କିନ୍ତୁ ଟଙ୍କା ଗଣିପାରି ନ ଥିଲେ।
ଏହାପରେ ରୀତା ବାହାଘର କରିବେ ନାହିଁ ବୋଲି ମନା କରିଦେଲେ । ପରେ ଉଭୟ ପରିବାର ଭିତରେ କଥା କଟାକଟି ଆରମ୍ଭ ହୋଇଗଲା। ଘଟଣାସ୍ଥଳରେ ଶେଷରେ ପୋଲିସ ପହଞ୍ଚି ଏହାର ସମାଧାନ କରିଥିଲା। ମୋହିତ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଥିଲା।
ତେବେ ରୀତାଙ୍କ ବାହାଘର ଠିକ୍ କରିଥିବା ମଧ୍ୟସ୍ଥି ଯେହେତୁ କନ୍ୟା ଘରର ଘନିଷ୍ଠ ସେଥିପାଇଁ ସେମାନେ ମୋହିତଙ୍କୁ ନ ଦେଖି ତାଙ୍କ ସହ ରୀତାଙ୍କ ବାହାଘର କରିବାକୁ ରାଜି ହୋଇଯାଇଥିବା ରୀତାଙ୍କ ଘର ଲୋକେ କହିଛନ୍ତି । ଏହି ଘଟଣା ପରେ କନ୍ୟା ନିଜ ଜିଦ୍ରେ ଅଟଳ ରହିବାରୁ ବରଯାତ୍ରୀ ଫେରିଯାଇଥିଲେ।
Comments are closed.