ଲକ୍ଷ୍ନୌ: କାର ଓ ୨୦ ଲକ୍ଷ ଦାବି କରି ଅଡି ବସିଲେ ବର।ଉତ୍ତରପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବିବାହ ପୂର୍ବରୁ ବର ଏକ ବ୍ରେଜା କାର ଏବଂ ଯୌତୁକ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଓ ଏହି ଦୁଇଟି ଜିନିଷ ନପାଇବା ପର୍ଯ୍ୟନ୍ତ ବିବାହ ରୀତିନୀତି ଆଗକୁ ବଢ଼ିପାରିବ ନାହିଁ।
ଯାହାପରେ କନ୍ୟା ବିବାହ ପାଇଁ ମନା କରିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର ଏବଂ ତାଙ୍କ ଭାଇକୁ ଅଟକ ରଖିଥିବା ଜଣାପଡ଼ିଛି। କ୍ୟାଣ୍ଟ ସଦର ବଜାରର ଜଣେ ବାସିନ୍ଦା ଆଠ ମାସ ପୂର୍ବରୁ ତାଙ୍କ ଝିଅର ବିବାହ ପ୍ରେମ ନଗରର ଜଣେ ଯୁବକଙ୍କ ସହ ଠିକ୍ କରିଥିଲେ।ଦମ୍ପତିଙ୍କ ନିର୍ବନ୍ଧ ମେ ମାସରେ ହୋଇଥିଲା ଏବଂ କନ୍ୟା ପକ୍ଷ ତରଫରୁ ପ୍ରାୟ ତାଙ୍କର ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାବ୍ୟତୀତ ବରକୁ ଏକ ସୁନା ମୁଦି, ଏକ ଚେନ୍ ଏବଂ ୫ ଲକ୍ଷ ଟଙ୍କା ନଗଦ ମଧ୍ୟ ଦିଆଯାଇଥିଲା।
ରୀତିନୀତି ଅନୁଯାୟୀ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିଲା ଓ ବରଯାତ୍ରୀ ସହ ବର ପହଞ୍ଚିଥିଲା। କିନ୍ତୁ ବିବାହ ପୂର୍ବରୁ ବରର ଏପରି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।ସମସ୍ତେ ବୁଝାଇବା ପାଇଁ ଚେଷ୍ଟା କରିବା ସତ୍ୱେ ମଧ୍ୟ ବର ପକ୍ଷ ମାନିନଥିଲେ।
ତେବେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ ଓ ଅଭିଯୋଗ ମିଳିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ୟାଣ୍ଟ ଇନ୍ସପେକ୍ଟର ରାଜେଶ କୁମାର କହିଛନ୍ତି।