Latest Odisha News

BREAKING NEWS

‘ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ, କିନ୍ତୁ ପୂଜା କରିପାରିବେନି’

ପୁରୀ: ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅପିଲ୍ କରିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶ୍ରୀମନ୍ଦିରର ନୀତି ନିର୍ଦ୍ଦାରକ ଜଗତଗୁରୁ ଶଙ୍କରାଚାର୍ଯ୍ୟ।

ସେ କହିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ସେ ଜଣେ କଶ୍ମୀର ବ୍ରାହ୍ମଣ, ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଏପରି କହିଛନ୍ତି ଜଗତଗୁରୁ। ହେଲେ ସେ ପୂଜା କରିପାରିବେ ନାହିଁ ବୋଲି କହିଛନ୍ତି। ସେ ଯଦି ପୂଜା କରିବାକୁ ଚାହିଁବେ ଅନ୍ୟମାନେ ସହଯୋଗ କରିପାରିବେ। ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟପାଳ ମନ୍ଦିର ନୀତି ସହିତ କୌଣସି ପ୍ରକାର ଭେଦଭାବ କରିହେବ ନାହିଁ।

ସେହିପରି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ବିଦେଶୀ ଇସ୍କନ ଭକ୍ତ ମାନେ ମହାପ୍ରଭୁଙ୍କ ପରମ୍ପରାକୁ ସମ୍ମାନ ଦେଉଛନ୍ତି। ହେଲେ ଶ୍ରୀମନ୍ଦିରକୁ ପ୍ରବେଶ କରିଵା ପାଇଁ ଚାହୁଁନାହାନ୍ତି। ସେମାନଙ୍କ ପାଇଁ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମନ୍ଦିର ଛାଡି ରଥଯାତ୍ରାରେ ବାହାରକୁ ଆସୁଥିବାରୁ ସେମାନେ ଗର୍ବିତ। ମାତ୍ର ଆମ ଲୋକେ ସେମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାହିଁକି ଓ କେଉଁ ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଓଡ଼ିଶା ଭିଜନ୍‌ ୨୦୩୬ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ନିବେଦନ କରି ବିଦେଶୀ ନାଗରିକଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି। ରାଜ୍ୟର ସର୍ବୋଚ୍ଚ ପଦବୀରେ ବସିଥିବା ରାଜ୍ୟପାଳଙ୍କ ଏହି ନିବେଦନକୁ ନେଇ ଆରମ୍ଭ ହୋଇଛି ତର୍କ। ବିଧାୟକ ସୁର ରାଉତ ରାୟ ଏହାକୁ ଗ୍ରହଣ କରିନାହାନ୍ତି। ସେ କହିଛନ୍ତି, ରଥଯାତ୍ରା ବେଳେ ସମସ୍ତ ଧର୍ମ ଲୋକ ତିନି ଠାକୁରଙ୍କୁ ଦର୍ଶନ କରିବାରେ ଅସୁବିଧା ନାହିଁ। ହେଲେ ଜଣେ ଜଗନ୍ନାଥଙ୍କ ପାଇକ ସେବାୟତ ଓ ଭକ୍ତ ଭାବରେ ଏପରି ନିବେଦନକୁ ସେ ଗ୍ରହଣ କରି ପରମ୍ପରାକୁ ଭାଙ୍ଗିପାରିବେ ନାହିଁ ବୋଲି କହିଛନ୍ତି। ସେହିପରି ମିଳିଥିବା ସୂଚନା ଅନୁଯାୟୀ ଗଜପତି ମହାରାଜ କହିଛନ୍ତି, ରାଜ୍ୟପାଳଙ୍କ ପାଖରୁ ଲିଖିତ ଆକାରରରେ କିଛି ଆସିଲେ କମିଟି ଏ ବାବଦରେ ବିଚାର କରିବ।

 

Comments are closed.