Latest Odisha News

BREAKING NEWS

କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ସାମ୍ନାକୁ ଆସିଲା ନୂଆ ଟିମର ରୂପରେଖ!

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କେନ୍ଦ୍ର କ୍ୟାବିନେଟରେ ଅଦଳ ବଦଳ ନେଇ ଚର୍ଚ୍ଚା ଚାଲିଛି। ପ୍ରଥମେ ମକର ସଂକ୍ରାନ୍ତିରେ ଅଦଳ ବଦଳ ହେବ ବୋଲି କୁହାଯାଉଥିଲା ଏବେ କିନ୍ତି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବଜେଟ ପରେ ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି କୁହାଯାଉଛି।

ଚଳିତବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କ୍ୟାବିନେଟ୍ ସମ୍ପ୍ରସାରଣ କରାଯିବ। ଏହା ସହିତ, ଏନଡିଏର ସହଯୋଗୀ ଦଳଙ୍କ ଅଂଶୀଦାର ମନ୍ତ୍ରିମଣ୍ଡଳରେ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି।

ସୂଚନାନୁସାରେ, କ୍ୟାବିନେଟ ସଂପ୍ରସାରଣରେ ବିହାରର ଚିରାଗ ପାସୱାନ, ମହାରାଷ୍ଟ୍ରର ଶିବସେନା (ସିନ୍ଦେ ଗୋଷ୍ଠୀ) ଏବଂ ତାମିଲନାଡୁର ଏଆଇଡିଏମକେ ମୋଦୀ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇପାରନ୍ତି। ଏହା ସହିତ ନିର୍ବାଚନ ହେବାକୁ ଥିବା ରାଜ୍ୟର ସାଂସଦଙ୍କ ସଂଖ୍ୟା କ୍ୟାବିନେଟରେ ଗୁରୁତ୍ୱ ବଢିପାରେ। ଏଥିସହିତ କିଛି ପୁରୁଣା ମନ୍ତ୍ରୀଙ୍କ ଆସନ ଯାଇପାରେ।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ ହେବା ପରଠାରୁ ମୋଦୀ କ୍ୟାବିନେଟରେ କେବଳ ଥରେ କ୍ୟାବିନେଟ ସମ୍ପ୍ରସାରଣ କରାଯାଇଥିଲା। ଜୁଲାଇ ୭, ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟରେ  ବଡ ଅଦଳ ବଦଳ କରିଥିଲେ। ଯେଉଁଥିରେ ଅନେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇଥିଲା ଓ ଆଉ କିଛି ମନ୍ତ୍ରୀଙ୍କର କ୍ଷମତା କମିଥିଲା। ସେତେବେଳେ କ୍ୟାବିନେଟରେ ଅନେକ ନୂଆ ମୁହଁ ଆଣି ନରେନ୍ଦ୍ର ମୋଦୀ ସାମାଜିକ ଏବଂ ଆଞ୍ଚଳିକ ସମୀକରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଯାହା ଗତ ବିଧାନସଭା ନିର୍ବାଚନରେ ​ଦଳକୁ ଲାଭ ଦେଇଛି ବୋଲି କୁହାଯାଉଛି।

୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ଗୁଜୁରାଟ ଏବଂ ମଣିପୁରର ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇ ବିଜେପି ଏହି ସବୁ ରାଜ୍ୟରେ ନିଜ ସ୍ଥିତି ଆହୁରି ମଜବୁତ କରିଛି।

ଚଳିତ ବର୍ଷ  ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପ୍ରମୁଖ ରାଜ୍ୟ ରହିଛି। କ୍ୟାବିନେଟରେ ଏହି ସବୁ ରାଜ୍ୟର ସାଂସଦଙ୍କୁ ଅଧିକ ଗୁରୁତ୍ୱ ମିିଳିପାରେ ବୋଲି ଆଶଙ୍କା କରାଯାଉଛି। ଏହା ସହିତ କିଛି ପୁରୁଣା ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ରିପୋର୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏହି ରିପୋର୍ଟ ଆଧାରରେ ବହୁ ରାଜ୍ୟ ମନ୍ତ୍ରୀଙ୍କୁ ସଂଗଠନକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବହୁ ବଡ କ୍ୟାବିନେଟ ମନ୍ତ୍ରୀଙ୍କ ବିଭାଗରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସୂଚନାନୁସାରେ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାର କିଛି ନୂଆ ଚେହେରାକୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇପାରେ। ସଂଗଠନକୁ କିଛି ମନ୍ତ୍ରୀ ପଠାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। କେତେକ ବରିଷ୍ଠ ମନ୍ତ୍ରୀଙ୍କ ଭୂମିକା ବଦଳାଇବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନରେ ଆଭ୍ୟନ୍ତରୀଣ ଆଲୋଚନା ଚାଲିଛି।

କୁହାଯାଉଛି ଜାନୁଆରୀ ୯ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବଡ ବୈଠକ ଡକାଯାଇଥିଲା। ଯେଉଁଥିରେ ଦୁଇ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଉ ଏହାପରେ ଅର୍ଥାତ୍ ଜାନୁୟାରୀ ୧୦ରେ ବିଜେପି ସଭାପତି ଜେପି ନଡ୍ଡା ଦଳର ସାଧାରଣ ସମ୍ବାଦକଙ୍କ ସହ ବୈଠକ କରିଥିଲେ।

 

Leave A Reply

Your email address will not be published.