Latest Odisha News

BREAKING NEWS

ଟ୍ରମ୍ପ-ମସ୍କ ପ୍ୟାଚଅପ୍…ପଛର ଅସଲ କାରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ବିବାଦର ସମାଧାନ ନେଇ ସଂକେତ ମିଳିଛି। ଟ୍ରମ୍ପଙ୍କୁ ନେଇ ଦେଇଥିବା ବୟାନ ନେଇ ସାର୍ବଜନୀନ ଭାବେ ଅନୁତାପ ପ୍ରକାଶ କରିଛନ୍ତି ମସ୍କ । ଏହାପରେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । ମସ୍କଙ୍କ କ୍ଷମା ପ୍ରାର୍ଥନାକୁ ବହୁତ ଭଲ ବୋଲି କହିଛନ୍ତି ଟ୍ରମ୍ପ । ତେବେ ପ୍ରଶ୍ନ ଉଠୁଛି, ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ସିଜଫାୟାର ପଛର କାରଣ କ’ଣ? କୁହାଯାଉଛି, ଉଭୟଙ୍କ ମଧ୍ୟରେ ବିବାଦର ସମାଧାନ ସହଜ ନଥିଲା । ଏହା ପଛରେ ନିବେଶକଙ୍କ ଚାପ ଓ ମସ୍କଙ୍କୁ ଟ୍ରମ୍ପଙ୍କ ଧମକକୁ କାରଣ କୁହାଯାଉଛି । ବିବାଦ ସମାଧାନରେ ଉପରାଷ୍ଟ୍ରରପତି ଜେଡି ଭାନ୍ସ ଓ ହ୍ବାଇଟ୍ ହାଉସର ଦୁଇ ଅଧିକାରୀଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି ।

ଚିନ୍ତାରେ ଥିଲେ ମସ୍କଙ୍କ ନିବେଶକ

ଟ୍ରମ୍ପଙ୍କ ଉପରେ ମସ୍କ ଏତେ ପରିମାଣରେ ରାଗିଥିଲେ ଯେ, ନୂଆ ରାଜନୈତିକ ଦଳ ନେଇ ବି ଧମକ ଦେଇଥିଲେ । ତେବେ ଟ୍ରମ୍ପଙ୍କ ସହ ବିବାଦ ମସ୍କଙ୍କ କମ୍ପାନୀର ନିବେଶକଙ୍କୁ ଚନ୍ତା ବଢାଇଥିଲା । ଟେସଲା, ସ୍ପେସେକ୍ସ ସହ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ବିବାଦ ମହଙ୍ଗା ପଡିଥିଲା । ଟ୍ରମ୍ପଙ୍କ ଧମକ ପରେ ମସ୍କଙ୍କ କମ୍ପାନୀ ସେୟାର ଖସିବାରେ ଲାଗିଥିଲା । ଟେସଲାର ନିବେଶକ ତଥା ମସ୍କଙ୍କ ପରାମର୍ଶଦାତା ଜେମସ ଫିସବାକ୍ ମସ୍କ ଟ୍ରମ୍ପଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ଏକ୍ସରେ ପୋଷ୍ଟ କରିଥିଲେ । ଟ୍ରମ୍ପ ବିରୋଧୀ ଅନେକ ପୋଷ୍ଟ ମସ୍କ ହଟାଇବା ପରେ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ଫିସବାକଙ୍କୁ ଫୋନ୍ କରି ଧନ୍ୟବାଦ ଜଣାଇଥିଲେ ।

ଟ୍ରମ୍ପଙ୍କ ଧମକ ଭୟ

ମସ୍କଙ୍କ ସହ ବିବାଦ ପରେ ତାଙ୍କ କମ୍ପାନୀ ସ୍ପେସେକ୍ସ ସହ ସରକାରୀ କଣ୍ଟ୍ରାକ୍ଟ ଓ ସବସିଡି ଶେଷ କରିବା ନେଇ ବିଚାର କରିପାରନ୍ତି ବୋଲି ଧମକ ଦେଇଥିଲେ ଟ୍ରମ୍ପ। ଏପରିକି ମସ୍କଙ୍କ ସହ ତାଙ୍କର ସଂପର୍କ ଶେଷ ହୋଇଯାଇଥିବା ବି ଟ୍ରମ୍ପ କହିଥିଲେ । ତେବେ ସୋମବାର ମସ୍କ ଟ୍ରମ୍ପଙ୍କ ସହ କଥା ହୋଇଥିବା ହ୍ବାଇଟ୍ ହାଉସ ସୁତ୍ରରୁ ଜଣାପଡିଛି । ଏହାପରେ ମସ୍କଙ୍କ କ୍ଷମାପ୍ରାର୍ଥନାକୁ ଟ୍ରମ୍ପ ପ୍ରଶଂସା କରିଥିବା ହ୍ବାଇଟ୍ ହାଉସର ପ୍ରେସ ସଚିବ କ୍ୟାରୋଲିନ ଲେବିଟ କହିଛନ୍ତି । ମସ୍କ ଟ୍ୟାକ୍ସ ବିଲକୁ ବିରୋଧ କରିଥିବା ଡେମୋକ୍ରାଟିକ ନେତାଙ୍କୁ ଫଣ୍ଡିଂ କଲେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ ଟ୍ରମ୍ପ । ଡେମୋକ୍ରାଟସଙ୍କୁ ମସ୍କ ଫଣ୍ଡିଂ କଲେ ରିପବ୍ଲିକାନ୍ ପାର୍ଟି ଦୁର୍ବଳ ହେବା ନେଇ ଭୟ କରୁଥିଲେ ଟ୍ରମ୍ପ । କାରଣ ଏମିତି ହେଲେ ତାଙ୍କୁ ରାଜନୈତିକ କ୍ଷତି ସହିବାକୁ ପଡିଥାନ୍ତା ।

କେମିତି ହେଲା ବିବାଦର ସମାଧାନ?

ଟ୍ରମ୍ପଙ୍କ ସହ ବିବାଦର ସମାଧାନ ପାଇଁ ମସ୍କ ଜେଡି ଭାନ୍ସଙ୍କ ସହ କଥା ହୋଇଥିବା ରୟଟର୍ସ ପକ୍ଷରୁ କୁହାଯାଇଛି । ଏହାସହ ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ସୁଜି ଓ୍ବିଲସ ଓ ଡେଭିଡ୍ ସକ୍ସ, ଉଭୟଙ୍କ ମଧ୍ୟରେ ବିବାଦ ଶେଷ କରିବାକୁ ଉଦ୍ୟମ କରିଥିଲେ । ମସ୍କ ଓ ଟ୍ରମ୍ପଙ୍କ ସହ ଆଲୋଚନା କରିବା ସହ ମସ୍କ ସାର୍ବଜନୀନ ଭାବେ ଓ ବ୍ୟକ୍ତିଗତ ଭାବେ ଟ୍ରମ୍ପଙ୍କ ଏଜେଣ୍ଡାକୁ ସମର୍ଥନ କରିବାକୁ କହିଥିବା କେନେଡି ସେଣ୍ଟରରେ ଜେଡି ଭାନ୍ସ କହିଛନ୍ତି । ମସ୍କ ଏକ ନୂଆ ରାଜନୈତିକ ଦଳ ଗଠନ ପାଇଁ ଚାହୁଁଥିଲେ । ଏଭଳି ହୋଇଥିଲେ ୨୦୨୬ ନଭେମ୍ବରରେ କଂଗ୍ରେସ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପାଇଁ ଏହା ବଡ଼ ବିପଦ ହୋଇଥାନ୍ତା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ମସ୍କ ରିପବ୍ଲିକାନଙ୍କୁ ପ୍ରାୟ ୩ଶହ ମିଲିୟନ ଡଲାର ଦେଇଥିଲେ । ଫଳରେ ବିଜୟୀ ହୋଇଥିଲା ଦଳ ।

ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଖର୍ଚ୍ଚ କାଟ୍ ବିଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଲକୁ ଟ୍ରମ୍ପ ବିଗ୍ ବିୟୁଟିଫୁଲ୍ ବିଲ କହିଥିବା ବେଳେ ମସ୍କ ଏହାକୁ କଡା ସମାଲୋଚନା କରିଥିଲେ । ଏପରିକି ବିଲକୁ ସମର୍ଥନ କରୁଥିବା ରିପବ୍ଲିକାନ୍ ସାଂସଦଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧ ନେବାକୁ ବି ଧମକ ଦେଇଥିଲେ । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗକୁ ବି ସମର୍ଥନ କରିଥିଲେ ମସ୍କ । ଟ୍ରମ୍ପଙ୍କ ସହ ସଂପର୍କ ଖରାପ ହେବା ପରେ ଡିଓଜିଇରୁ ବି ଇସ୍ତଫା ଦେଇଥିଲେ ମସ୍କ । ତେବେ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦର ସମାଧାନ ନେଇ ସଙ୍କେତ ମିଳିଛି ।

Comments are closed.