Latest Odisha News

ମୁଁ ତୋ ଭାଇ..ମୁଁ ଥିଲେ ତୋର ଚିନ୍ତା ନାହିଁ.. ଭାଇରାଲ ହେଲା ଭାଇଭଉଣୀ ସ୍ନେହର ଭାବବିହ୍ୱଳ ଭିଡିଓ

ମୁଁ ତୋ ଭାଇ…କେବେ ଖରା କେବେ ଛାଇ । ମୁଁ ଥିଲେ ତୋର ଭୟ ନାହିଁ । ଭାଇ ସବୁବେଳେ ଏମିତି । ରାଗିଗଲେ ଗାଳି ଦି ସିନା, କୁନି ଭଉଣୀର ଶୁଖିଲା ମୁହଁ ଦେଖିଲେ କୋଳେଇ ନିଏ । ଏ ବି ଭାଇଟିଏ । ବୟସ ବହୁତ ବେଶି ନ ହେଲେ ବି କୁନି ଭଉଣୀର ସେ ବଡ ଭାଇ ।ତେଣୁ  କୁନି ଭଉଣୀକୁ ଆଞ୍ଚ ଆଣିବାକୁ ସେ ଦେବ କେମିତି । ସେଥିପାଇଁ ସେ ଭଉଣୀକୁ ସାଇକେଲର କ୍ୟାରିଅରେ ବସେଇଛି  ଆଉ ନିଜେ ସାଇକେଲ ଗଡେଇ ଗଡେଇ ନେଉଛି । କାରଣ କୁନି ଭଉଣୀ ତାର ଏତେ ବାଟ ଚାଲି ପାରିବନି । ତାର କୋମଳ ପାଦକୁ କଷ୍ଟ ହେବ । ଏମିତି ଏକ ଭାବବିହ୍ୱଳ କରିଦେବା ପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟିରେ ଭାଇ-ଭଉଣୀଙ୍କର ଅନାବିଳ ମମତାର ଡୋରି ଦେଖିଲେ ଆପଣ ବି ଘଡ଼ିକ ପାଇଁ ଭାବ ବିହ୍ୱଳ ହୋଇଯିବେ ।

ଏହି ଭିଡିଓଟି ଟୁଇଟରରେ ଭାଇରାଲ ହୋଇଛି । ଉର୍ଦ୍ଧୁ ନଭେଲ ନାମକ ଏକ ଟୁଇଟର ହାଣ୍ଡେଲରେ ଏହି ଭିଡିଓକୁ ସେୟାର କରାଯାଇଛି । ୨୨ ସେକେଣ୍ଡର ଛୋଟ ଭିଡିଓଟିଏ, ହେଲେ ଭାଇ-ଭଉଣୀ ସମ୍ପର୍କ ଉପରେ ଏକ ଗଭୀର ବାର୍ତ୍ତା ଦେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଛେଟ ପିଲାଟିଏ ସାଇକେଲକୁ ଗଡେଇ ଗଡେଇ ନେଉଛି । ସାଇକେଲରେ କିଛି ସାମଗ୍ରୀ ବାନ୍ଧିଛି ନେବାପାଇଁ । କୁନି ଭଉଣୀ ବି ସାଙ୍ଗରେ ଅଛି । ସାଇକେଲର କ୍ୟାରିୟରରେ ବସିଛି ତାର କୁନି ଭଉଣୀ । ତା ପଛରେ ବନ୍ଧା ହୋଇଛି ଜିନିଷପତ୍ର । ବୋଧହୁଏ ଭଉଣୀର ପାଦକୁ କଷ୍ଟ ହେଉଛି ବା ଚକ ପାଖରେ ପସି ଯାଉଛି, ସେଥିପାଇଁ  ସେ ଭଉଣୀର କୁନି କୁନି ପାଦକୁ ଅତି ଯତ୍ନରେ ସାଇକେଲରେ ବାନ୍ଧି ଦେଉଛି । କାଳେ  ପାଦକୁ କଷ୍ଟ ହେବ ସେଥିପାଇଁ କପଡା ପରସ୍ତ ଗୁଡାଇ ଦେଉଛି । ଏସବୁ ସାରିବା ପରେ ଯେମିତି ନିଶ୍ଚିନ୍ତ ମନରେ ସାଇକେଲକୁ ଆଗକୁ ଗଡାଉଛି । ଭାଇ-ଭଉଣୀ ସମ୍ପର୍କର ଝଲକଟିଏ । କିନ୍ତୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ମନ ହୁଏ । ମନେ ପଡିଯାଏ ପିଲାବେଳ । ଯାହା ବି ହେଉ, ଭିଡିଓଟିକୁ ୧୪ ହଜାର ୟୁଜର୍ସ ଦେଖି ସାରିଲେଣି । ଏଇ ଭାଇଭଉଣୀଙ୍କ ପାଇଁ ଅନେକ ଶ୍ରଦ୍ଧା, ଭଲ ପାଇବା ଆଉ ଶୁଭକାମନା ପଠାଇଛନ୍ତି ୟୁଜର୍ସ ।

Comments are closed.