Latest Odisha News

BREAKING NEWS

ଚିଙ୍ଗୁଡ଼ି ଘେରିରେ ଫସିଥିଲା ପାଣିକୁଆ, ପକ୍ଷୀଗଣନାକାରୀ ଉଦ୍ଧାର କରିବା ପରେ ଉଡିଗଲା ଦୂର ଆକାଶକୁ

ଖୋର୍ଦ୍ଧା: ବନ୍ଦୀ ଜୀବନରୁ ମୁକ୍ତ ହେଲା ପାଣି କୁଆ । ଖୋଲା ଆକାଶରେ ଉଡ଼ିଗଲା । ଉଡିଗଲା ଦୂରକୁ, ବହୁ ଦୂରକୁ । ବନ୍ଦୀ ଥିବାର ଦୁଃଖକୁ ଭୁଲିଗଲା । ଯଦି ପକ୍ଷୀଗଣନାକାରୀ ଆସିନଥାନ୍ତେ, ସତରେ ସେ କଣ ମୁକୁଳୁପାରିଥାନ୍ତା । ଆଉ ଖୋଲା ଆକାଶରେ ଉଡ଼ିବାର ମଜା ପୁଣି କଣ ପାଇଥାନ୍ତା । ମନେ ମନେ ପକ୍ଷୀଗଣନାକାରୀଙ୍କୁ ଧନ୍ୟବାଦ ଦେଇ ଡେଣା ମେଲାଇ ଉଡ଼ି ଚାଲିଗଲା ପାଣି କୁଆ । ବନ୍ଦୀ ଜୀବନ କେତେ ବେଦନାଦାୟକ ଓ ମୁକ୍ତ ହେବାର ସ୍ୱାଦ ଏହି ଭିଡିଓ ଦେଖିଲେ ଜାଣିପାରିବେ ।

ଚିଲିକାରେ ଚାଲିଛି ପକ୍ଷୀ ଗଣନା । ଆଜି ସକାଳୁ ଆରମ୍ଭ ହୋଇଛି ପକ୍ଷୀଗଣନା । ଡଙ୍ଗାରେ ବୁଲୁ ବୁଲୁ ସାତପଡାରେ ନିୟୋଜିତ ୧୮ ନମ୍ୱର ଟିମ୍ ଗଣନାକାରୀଙ୍କ ନଜରରେ ପଡିଯାଇଥିଲା ପାଣିକୁଆ । ପକ୍ଷୀଟି ମାଛ ଖାଇବା ଆଶାରେ ଚିଙ୍ଗୁଡି ଘେରିରେ ପଶି ବାହାରି ପାରିନଥିଲା । ଛଟପଟ ହେଉଥିବା ବେଳେ ତା ପାଇଁ ଦେବଦୂତ ସାଜିଥିଲେ ଗଣନାକାରୀ । ତାକୁ ବନ୍ଧନମୁକ୍ତ କରିଥିଲେ ଗଣନାକାରୀ ଟିମ୍ । ହାତରୁ ଖସିବା ପରେ ଜୀବନ ବିକଳେ ଦୂର ଆକାଶକୁ ଉଡ଼ିଯାଇଥିଲା ।

୧୮ ନମ୍ବର ଟିମ୍ ରେ ଥିଲେ କେନ୍ଦ୍ରାପଡ଼ା ଥାନାର ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ, ସ୍ନେକ୍ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା, ଅରଖକୁଦା ଫରେଷ୍ଟର ଦୁର୍ଗା ଚରଣ ଟୁଡୁ ।  ଇନ୍ସପେକ୍ଟର ସାମନ୍ତରାୟ ଓ ଲଳିତ ଉଭୟ ମିଶି ଚିଙ୍ଗୁଡି ଘେରିର ବାଉଁଶକୁ ଓପାଡ଼ି ଦେଇଥିଲେ । ଲଳିତ ଯତ୍ନର ସହିତ ପାଣିକୁଆଟିକୁ ଉଦ୍ଧାର କରି ଡଙ୍ଗା ଉପରକୁ ଆଣିଥିଲେ । ପାଣିକୁଆ ଦେହରେ ବିଶେଷ କ୍ଷତ ଚିହ୍ନ ପାଇ ନଥିଲା ଟିମ୍ । ଲଳିତ ହାତ ମୁଠା ଖୋଲିବା ମାତ୍ରକେ ଆନନ୍ଦ ଚିତ୍ତରେ ଉଡିଯାଇଥିଲା ପାଣିକୁଆ ।

Leave A Reply

Your email address will not be published.