Latest Odisha News

BREAKING NEWS

ବଢ଼ି ଚାଲିଛି ଧଳାଜହର କାରବାର, ମନ୍ତ୍ରୀ କହିଲେ ୪ ବର୍ଷରେ ୮ ଗୁଣ ଅଧିକ ଜବତ

ଭୁବନେଶ୍ୱର: ବ୍ରାଉନ୍ସୁଗାର ଜବତ ପରିମାଣ ୪ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି ବୋଲି ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ବିଭାଗଠୁ ଆରମ୍ଭ କରି ଏନସିବି ଟିମ୍ ଉପସ୍ଥିତ ଥିବା ସତ୍ବେ ରାଜ୍ୟରେ ଏହି ବେଆଇନ କାରବାର ବେକାବୁ ହେଲାଣି।

ମନ୍ତ୍ରୀ କହିଛନ୍ତି, ୨୦୧୮-୧୯ରେ ୪.୫ କେଜି ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୩୨.୫୧ କେଜିକୁ ବୃଦ୍ଧି ପାଇଛି। ଜବତ ଗଞ୍ଜେଇ ମଧ୍ୟ ୨୦୧୮-୧୯ରେ ୭୮.୪୪ କ୍ୱିଣ୍ଟାଲ ଥିବାବେଳେ ୨୦୨୨-୨୩ରେ ୪୧୩.୩୦ କ୍ୱିଣ୍ଟାଲକୁ ବୃଦ୍ଧି ପାଇଛି। ଏହି ୪ ବର୍ଷ ମଧ୍ୟରେ ମୋଟ ୨ ହଜାର ୯୦୨ ଜଣଙ୍କୁ ଗିରଫ କରାୟାଇଥିବା ବେଳେ ୨ ହଜାର ୫୨୦ଟି ମାଦକ ଦ୍ରବ୍ୟ ଆଇନ୍ ଅନୁୟାୟୀ ମାମଲା ରୁଜୁ ହୋଇଛି।

ପୁଲିସ ଓ ଅବକାରୀ ବିଭାଗର ତୀବ୍ର ଉଦ୍ୟମ ଯୋଗୁ ଜବତ ପରିମାଣ ବୃଦ୍ଧି ପାଇଥିବା ଅଶ୍ବିନୀ ପାତ୍ର କହିଛନ୍ତି। ବିଭାଗ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଗୁଇନ୍ଦା ତଥ୍ୟ ସଙ୍ଗ୍ରହ କରି ନିଶା ବେପାରୀ ଓ ଚାଲାଣକାରୀଙ୍କୁ ଠାବ କରାଯାଉଛି ବୋଲି ସେ କହିଛନ୍ତି।

ସେହିପରି ନିଶା ନିବାରଣ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭଳି ଅନ୍ୟ ସଂସ୍ଥା ସହ ମଧ୍ୟ ବିଭାଗ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।

ବ୍ରାଉନସୁଗାର ଜବତ ବଢିବା ଚିନ୍ତାର କାରଣ ହୋଇଛି। ବ୍ରାଉନ ସୁଗାର ଏକ ଅତ୍ୟନ୍ତ ନିଶାଦ୍ରବ୍ୟ ଯାହା ବ୍ୟବହାରକାରୀଙ୍କ ପାଇଁ ସାଙ୍ଘାତିକ ନକରାତ୍ମକ ପରିଣାମ ଆଣିପାରେ। ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଅଧିକ ପଦକ୍ଷେପ ନେବା ସହ ନିଶାସକ୍ତ ଲୋକଙ୍କୁ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ଆବଶ୍ୟକ।

Leave A Reply

Your email address will not be published.