Latest Odisha News

BREAKING NEWS

କଂଗ୍ରେସ ହେଉଛି ଦେଶର ସବୁଠାରୁ ବଡ ଧଳା ହାତୀ: ବିଆରଏସ

ହାଇଦ୍ରାବାଦ: ଦେଶର ୫ଟି ରାଜ୍ୟରେ ହେବାକୁଯାଉଛି ବିଧାନସଭା ନିର୍ବାଚନ । ଏନେଇ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର ପ୍ରସାର । ଗୋଟିଏ ଦଳ ଆଉ ଏକ ଦଳ ଉପରେ କାଦୁଅ ଫୋପାଡିବାରେ ମଧ୍ୟ ଲାଗିଛନ୍ତ । ସମସ୍ତ ଦଳ ସରକାର ଗଠନ କରିବାକୁ ଦାବି କରୁଛନ୍ତି । ଏହି ପ୍ରରିପେକ୍ଷିରେ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ତଥା ବିଆରଏସ (BRS) ନେତା କେ.ଟି ରାମା ରାଓ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦେଶର ଲୋକମାନେ ବହୁ ବର୍ଷ ଧରି କଂଗ୍ରେସକୁ ସହ୍ୟ କରିଆସୁଛନ୍ତି ହେଲେ ଆଉ ନୁହେଁ । ଯାହାଦେଖାଯାଉଛି ଆଗାମୀ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି (ବିଆରଏସ), କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ୍ଡା ଟକ୍କର ହେବ । ଅନ୍ୟପଟେ ସମସ୍ତ ଦଳର ନେତାମାନେ ମୈଦାନୀକୁ ଓହ୍ଲାଇ ପ୍ରଚାର କରୁଛନ୍ତି ।

କେଟିଆର କହିଛନ୍ତି, ‘ମୁଁ ଭାବୁଛି ଏହି ଦେଶର ପ୍ରକୃତ ଧଳା ହାତୀ ହେଉଛି କଂଗ୍ରେସ, କାରଣ ଏହି ଦଳକୁ ଲୋକମାନେ ଦୀର୍ଘ ଦିନ ଧରି ସହ୍ୟ କରିଆସୁଛନ୍ତି । ଲୋକମାନେ ଦୀର୍ଘ ଦିନ ଧରି କଂଗ୍ରେସର ଭୁଲ୍ ତଥା ଔଦ୍ଧତାମୀକୁ ବହନ କରିଛନ୍ତି । ତେବେ ପ୍ରକୃତ ଧଳା ହାତୀ ହେଉଛି କଂଗ୍ରେସ ଦଳ’ । ସେ ଆହୁରି କହିଛନ୍ତି ଯେ, ‘ଦେଶର ସ୍ବାଧୀନତା ପରେ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଯେ କଂଗ୍ରେସ ଦଳ ବିଲୋପ ହେବା ଉଚିତ, କିନ୍ତୁ ଏହି ସମୟରେ ଲୋକମାନେ ତାହା କରି ନ ଥିଲେ । ବର୍ତ୍ତମାନ ଦୁର୍ଭାଗ୍ୟବଶତଃ କଂଗ୍ରେସ ଦଳ ଆଜିବି ଅଛି, କିନ୍ତୁ ଲୋକମାନେ ଏବେ ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି’ ।

ଏହାପୂର୍ବରୁ ରାଜ୍ୟରେ ଆୟୋଜିତ ଏକ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, କେସିଆର ସରକାର ରାଜ୍ୟକୁ ବିକାଶ କରିବାକୁ ଦେଇନାହାଁନ୍ତି । ସେ କହିଥିଲେ ଯେ, ତେଲେଙ୍ଗାନା ଗଠନ ଉପରେ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି । ଆମେ ଜାଣିଥିଲୁ ଏହି ନିଷ୍ପତ୍ତି ଆମ ପାଇଁ ରାଜନୈତିକ କ୍ଷତି ଘଟାଇବ, କିନ୍ତୁ ଆମେ ଜନସାଧାରଣଙ୍କ ହିତ ପାଇଁ ଏହି ନିଷ୍ପତ୍ତି ନେଇଛୁ । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କେସିଆର ତେଲେଙ୍ଗାନାବାସୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି । ସେ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ‘ଡୋରାଲା ତେଲେଙ୍ଗାନା ଏବଂ ପ୍ରଜାଲା ତେଲେଙ୍ଗାନା’ (ସାମନ୍ତଙ୍କର ତେଲେଙ୍ଗାନା ଏବଂ ଲୋକଙ୍କର ତେଲେଙ୍ଗାନା) ମଧ୍ୟରେ ଲଢାଇ ହେବ ।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, କେସିଆର କାଲେଶ୍ୱରାମ ପ୍ରକଳ୍ପର ମୂଲ୍ୟକୁ ଏକ ଲକ୍ଷ କୋଟିରୁ ଅଧିକ ବୃଦ୍ଧି କରି ଲୋକଙ୍କ ଜମି ଛଡ଼ାଇ ନେଇଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ କେବଳ ବଡ ବଡ କଣ୍ଟ୍ରାକ୍ଟରଙ୍କ ପାଇଁ ଲାଭଦାୟକ, ଯେଉଁମାନେ କେସିଆରଙ୍କ ବନ୍ଧୁ ଅଟନ୍ତି । କଂଗ୍ରେସ ସାଂସଦ ଅଭିଯୋଗ କରିଛନ୍ତି ଯେ, ବିଆରଏସ ସରକାର ମଧ୍ୟ ଜମି ରେକର୍ଡରେ ପରିବର୍ତ୍ତନ କରି ଧରଣୀ ପୋର୍ଟାଲ ନାମରେ ଜମି ଛଡ଼ାଇ ନେଇଛନ୍ତି ଏବଂ ଦଳିତ ତଥା ଆଦିବାସୀଙ୍କୁ ଜମି ଦେବାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ।

Leave A Reply

Your email address will not be published.