Latest Odisha News

BREAKING NEWS

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି।

ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି। ତେଲେଙ୍ଗାନାରେ ଶାସନକୁ ନିଜ ହାତରେ ବଜାୟ ରଖିବା ପାଇଁ ଦଳ ସବୁ ଶକ୍ତି ଖଟାଉଥିବା ବେଳେ ଦଳର ବହୁ ପ୍ରମୁଖ ନେତା କଂଗ୍ରେସରେ ମିଶିବାକୁ ଯାଉଛନ୍ତି।

ବିଆରଏସର ବିଦ୍ରୋହୀ ନେତା କୃଷ୍ଣା ରାଓ, ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଓ ଅନ୍ୟ ବହୁ ପ୍ରମୁଖ ନେତା କଂଗ୍ରେସରେ ସାମିଲ ହେବେ। ଏହା ପୂର୍ବରୁ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ତେଲେଙ୍ଗାନା ନେତାମାନେ ସାକ୍ଷାତ ଆଲୋଚନା କରିଛନ୍ତି ।

ଖମ୍ମମର ପୂର୍ବତନ ସାଂସଦ ପିଏସ ରେଡ୍ଡୀ, ପୂର୍ବତନ ମନ୍ତ୍ରୀ କୃଷ୍ଣା ରାଓ, ଏମଏଲସି ଦାମୋଦର ରେଡ୍ଡୀଙ୍କ ସମେତ ଅନ୍ୟ ତିନି ଚାରିଜଣ ପୂର୍ବତନ ଏମଏଲସି ତଥା ଅନ୍ୟ ବହୁ ନେତା ହାତ ଧରିବା ନେଇ ସ୍ପଷ୍ଟ ହୋଇଛି। ଜୁଲାଇ ପ୍ରଥମ ସପ୍ତାହରେ ତେଲେଙ୍ଗାନାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ବଙ୍କ ଉପସ୍ଥିତିରେ ୩୫ ଜଣ ନେତା କଂଗ୍ରେସରେ ସାମିଲ ହେବେ ।

କର୍ଣ୍ଣାଟକ ବିଜୟ ପରେ ତେଲେଙ୍ଗାନାରେ କଂଗ୍ରେସ ଯେଭଳି ଦମ ଲଗାଇଛି ଓ କାର୍ଯ୍ୟକ୍ରମ ଆରମ୍ଭ କରିଛି ତାକୁ ଦେଖି ବହୁ ବିରୋଧୀ ନେତା ଦଳ ପ୍ରତି ଆକର୍ଷିତ ହେଉଥିବା କୁହାଯାଉଛି। ସେଥିପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଅବିଭାଜିତ ଖମ୍ମମ ଓ ମେହବୁବନଗର ଅଞ୍ଚଳର ବହୁ ନେତାଙ୍କ ସହ ଆଲୋଚନା କରିଛନ୍ତି।

ବିଆରଏସ ସମେତ ବିଜେପିର କିଛି ନେତା ମଧ୍ୟ ଦଳରେ ସାମିଲ ହେବା ସମ୍ପର୍କରେ ଚର୍ଚ୍ଚା ହେଉଥିବା କୁହାଯାଉଛି। ତେଣୁ ତେଲେଙ୍ଗାନାରେ ଏଭଳି ସ୍ଥିତିକୁ ଆଖି ଆଗରେ ରଖି ବିଆରଏସ ନିଜକୁ ବିରୋଧି ଏକତା ବୈଠକରୁ ଦୁରେଇ ରଖିବା ସହ ବୈଠକ ପ୍ରସଙ୍ଗରେ ନକାରାତ୍ମକ ମନ୍ତବ୍ୟ ଦେଇଥିବା ଆଲୋଚନା ହେଉଛି।

ଏପରିକି ପୂର୍ବରୁ ଭାରତ ଯୋଡୋ ଯାତ୍ରା ସମୟରେ ତେଲେଙ୍ଗାନାରେ ଭଲ ପ୍ରଭାବ ଦେଖିବାକୁ ମିଳିଥିବା କଂଗ୍ରେସ ପକ୍ଷରୁ କୁହାଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ବାଚନର ବହୁ ପୂର୍ବରୁ ବିଆରଏସ ବିରୋଧରେ ରାଜ୍ୟରେ ହୁଙ୍କାର ଦେଇଛନ୍ତି।

ସେପଟେ ଆସନ୍ତା ଜୁଲାଇ ଆଠ ତାରିଖରେ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ କଂଗ୍ରେସରେ ସାମିଲ ହୋଇପାରେ। ତେଣୁ ଏସବୁ ସ୍ଥିତିରେ ବିଆରଏସର ବହୁ ଟାଣୁଆ ନେତା କଂଗ୍ରେସରେ ମିଶିବାକୁ ଯାଉଥିବାରୁ ତେଲେଙ୍ଗାନା ରାଜନୀତି ବେଶ ସରଗରମ ହୋଇଛି।

Leave A Reply

Your email address will not be published.