Latest Odisha News

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ଅସାମାଜିକ ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ। ଆଜି ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ ହୋଇଛି।

ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଆଜି ଝାରସୁଗୁଡାରୁ ଗିରଫ ହୋଇଥିବା ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ପୂର୍ବରୁ ଏହି ମାମଲାରେ ୪ ଜଣ ଗିରଫ ହୋଇଥିଲେ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଠିକାଦାର ଫେରାର ଥିଲା।

ସୂଚନାଥାଉକି, କୁଲଥିପାଲି ଗ୍ରାମରେ ୧୦ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଉଠିଥିଲା। ଏହି ପ୍ରକଳ୍ପରେ କୌଣସି ସୂଚନା ଫଳକ ନଥିବା ନେଇ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଗ୍ରାମକୁ ଯାଇଥିଲେ। ସେଠାରେ ଭିଡିଓ ରେକର୍ଡିଂ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କ ହାତଗୋଡ଼ ବାନ୍ଧି ଗ୍ରାମ ମଧ୍ୟରେ ଘୋଷାଡ଼ି ନେଇଥିଲେ ଏବଂ ଦୁଇ ଘଣ୍ଟା ଧରି ନିସ୍ତୁକ ମାଡ଼ ମାରି ଅପମାନିତ କରିଥିଲେ। ଏହାସହ, ତାଙ୍କ କ୍ୟାମେରା, ଦୁଇଟି ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ।

ନିର୍ଯାତନା ପରେ ଅଭିଯୁକ୍ତମାନେ ବିଜୟଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ଖବର ପ୍ରସାରଣ ନକରିବାକୁ ଶପଥ କରାଇଥିଲେ। ଏହାସହ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ଦେଇଥିଲେ। ପରେ ପୀଡ଼ିତ ସାମ୍ବାଦିକ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

Comments are closed.