Latest Odisha News

BREAKING NEWS

2027 UP Assembly elections: ମାୟାବତୀଙ୍କ ମାଷ୍ଟରପ୍ଲାନ୍, ବଢ଼ିଲା ଯୋଗୀଙ୍କ ଚିନ୍ତା 

ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ରଣନୀତି। ସବୁ ଦଳ ପ୍ରସ୍ତୁତି ଚଳାଇଥିବା ବେଳେ ବହୁଜନ ସମାଜ ପାର୍ଟି, BSP ସମସ୍ତଙ୍କୁ ପଛରେ ପକାଇ ନିଜର ଚାଲ୍ ଚଳାଇବା ଆରମ୍ଭ କରିଦେଇଛି। ବିଗତ କିଛି ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ପୁଣି ସେହି ପୁରୁଣା ‘ବ୍ରହ୍ମାସ୍ତ୍ର’ ପ୍ରୟୋଗ କରିବାକୁ ଯାଉଛନ୍ତି ମାୟାବତୀ।

ମାୟାବତୀଙ୍କ ୨୦୦୭ର ‘ସୋସିଆଲ ଇଞ୍ଜିନିୟରିଂ’ ଫର୍ମୁଲା କ’ଣ ପୁଣି ଦେବ ସଫଳତା ?

ଦଳିତ-ବ୍ରାହ୍ମଣ ସମୀକରଣରେ ୟୁପି ଦଖଲ କରିବେ କି ମାୟାବତୀ ?

୨୦୨୭ ପାଇଁ ବିଏସପିର ପ୍ରଥମ ପ୍ରାର୍ଥୀ ଘୋଷଣା: ଜାଲୌନରୁ ଆଶିଷ ପାଣ୍ଡେଙ୍କୁ ଟିକେଟ୍ ।

ଏବେଠାରୁ ପ୍ରାର୍ଥୀ ଘୋଷଣା କରି କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ମାୟାବତୀ ।

ଉତ୍ତର ପ୍ରଦେଶ ରାଜନୀତିରେ ପୁଣି ଥରେ ଇତିହାସ ଦୋହରାଇବାକୁ ଅଣ୍ଟା ଭିଡିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ୨୦୦୭ ମସିହାରେ ଯେଉଁ ‘ଦଳିତ-ବ୍ରାହ୍ମଣ’ ସମୀକରଣ ବଳରେ ମାୟାବତୀ ପୂର୍ଣ୍ଣ ବହୁମତ ପାଇଥିଲେ, ୨୦୨୭ରେ ସେହି ସମାନ ଫର୍ମୁଲାକୁ ପୁଣି ଆପଣାଇବାକୁ ଯାଉଛି ଦଳ। ଆଗାମୀ ନିର୍ବାଚନରେ ବିଏସପି ପ୍ରାୟ ୮୦ ଜଣ ବ୍ରାହ୍ମଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇପାରେ। ଏହାର ସଙ୍କେତ ସ୍ୱରୂପ, ଜାଲୌନ ଜିଲ୍ଲାର ମାଧୌଗଡ ସିଟ୍‌ରୁ ଆଶିଷ ପାଣ୍ଡେଙ୍କୁ ପ୍ରଥମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ହୋଲି ପରେ କାନପୁର ମଣ୍ଡଳର ଆଉ ୫ଟି ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରେ।

ବିଗତ କିଛି ମାସ ଧରି ମାୟାବତୀ ବ୍ରାହ୍ମଣ ସମାଜର ସୁରକ୍ଷା ଏବଂ ସମ୍ମାନ କଥା ବାରମ୍ବାର କହୁଛନ୍ତି। ନିକଟରେ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘୁସଖୋର ପଣ୍ଡିତ’ କୁ ନେଇ ମଧ୍ୟ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏହାକୁ ବ୍ୟାନ୍ କରିବାକୁ ଦାବି କରିଥିଲେ। ମାୟାବତୀଙ୍କ ଦାବି ହେଉଛି— ଯେଉଁ ସମ୍ମାନ ବ୍ରାହ୍ମଣ ସମାଜକୁ ବିଏସପି ଶାସନରେ ମିଳିଥିଲା, ତାହା ଅନ୍ୟ କୌଣସି ସରକାର ଦେଇନାହାନ୍ତି ।

ତେବେ ଏହି ସମୀକରଣ କେତେ ସଫଳ ହେବ, ତାହା ବଡ଼ ପ୍ରଶ୍ନ। ଗୋଟିଏ ପଟେ ବିଜେପିର ଶକ୍ତିଶାଳୀ ଭୋଟ୍ ବ୍ୟାଙ୍କ ଏବଂ ଅନ୍ୟପଟେ ସମାଜବାଦୀ ପାର୍ଟିର ଚୁପ୍ ରହିବା— ୟୁପି ରାଜନୀତିକୁ ରୋମାଞ୍ଚକର କରିଦେଇଛି। ସପା ବର୍ତ୍ତମାନ ପାଇଁ କୌଣସି ପ୍ରତିକ୍ରିୟା ନଦେଇ ୨୦୨୭ ଫଳାଫଳକୁ ଅପେକ୍ଷା କରିଛି।

କ’ଣ ୨୦୦୭ର ସେହି ଯାଦୁ ୨୦୨୭ରେ ପୁଣି କାମ କରିବ? ମାୟାବତୀଙ୍କ ଏହି ପ୍ରାର୍ଥୀ ଘୋଷଣାର ରଣନୀତି କ’ଣ ବିଜେପି ଓ ସମାଜବାଦୀ ପାର୍ଟିର ଚିନ୍ତା ବଢ଼ାଇବ ?

 

Leave A Reply

Your email address will not be published.