Latest Odisha News

BREAKING NEWS

ବିହାର ପାଇଁ ହାତ ଖୋଲିଦେଲେ

ନୂଆଦିଲ୍ଲୀ: ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ । ବିହାର ପାଇଁ ବଜେଟରେ ବଡ ଘୋଷଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେଲାଣି । ଚଳିତ ବର୍ଷ ଶେଷ ଭାଗରେ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରୀନଫିଲଡ ବିମାନବନ୍ଦରଠାରୁ ଆରମ୍ଭ କରି ମଖାନା ବୋର୍ଡ ପର୍ଯ୍ୟନ୍ତ ବିହାର ପାଇଁ ବଜେଟରେ ଅନେକ ବଡ଼ ଘୋଷଣା ହୋଇଛି। ବଜେଟ୍ ଘୋଷଣା ସାଙ୍ଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀର ବିହାର କନେକ୍ସନକୁ ନେଇ ବି ଚର୍ଚ୍ଚା ହେଉଛି । ମଧୁବନୀ ପେଣ୍ଟିଂ ଥିବା ଶାଢୀ ପିନ୍ଧିଥିଲେ ନିର୍ମଳା । ତାଙ୍କୁ ଏହି ଶାଢୀ ବିହାରର ଜଣାଶୁଣା କଳାକାର ତଥା ପଦ୍ମଶ୍ରୀ ଦୁଲାରୀ ଦେବୀ । ତେବେ ବଜେଟ୍ ଦେଖି କଂଗ୍ରେସ ପ୍ରଶ୍ନ କରିଛି, ଏହା କେନ୍ଦ୍ର ବଜେଟ ନା ବିହାର ବଜେଟ୍?

ବିହାର ପାଇଁ ହାତ ଖୋଲିଦେଲେ

ଚଳିତ ବଜେଟରେ ବିହାରକୁ ଫୋକସ୍ କରି ଅନେକ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। ଭବିଷ୍ୟତ ଆବଶ୍ୟକତା ପୂରଣ କରିବା ପାଇଁ ବିହାରରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ କରାଯିବ। ପାଟନା ଏୟାରପୋର୍ଟର ସଂପ୍ରସାରଣ ସହ ବିହାଟାରେ ବ୍ରାଉନଫିଲ୍ଡ ଏୟାରପୋର୍ଟ କରାଯିବ । ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟଗିକତା ଓ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା ହେବ । ସେହିପରି ରାଜ୍ୟରେ ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ ଓ ମାର୍କେଟିଂ ପାଇଁ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ । ବିଶ୍ବର ୮୫ପ୍ରତିଶତ ମଖାନା ଭାରତରେ ଉତ୍ପାଦନ କରାଯାଏ । ଦେଶରେ ଉତ୍ପାଦିତ ହେଉଥିବା ୯୦ପ୍ରତିଶତ ମଖାନା ବିହାରରେ ହୁଏ । ଏହାସହ ମିଥିଳାଞ୍ଚଳରେ କୋଶୀ କେନାଲ ପ୍ରକଳ୍ପ ନେଇ ବି ଆର୍ଥିକ ସହାୟତା ଦିଆଯିବ । ଏହାଦ୍ବାରା ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହେବେ । ସେହିପରି ପାଟନା ଆଇଆଇଟିରେ ହଷ୍ଟେଲ ଓ ଅନ୍ୟ ଭିତ୍ତିଭୂମିର ସଂପ୍ରସାରଣ କରାଯିବ ।

ବିହାରକୁ ବଡ ଉପହାର ପଛର କାରଣ

ବିହାରରେ ଆସନ୍ତା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କେନ୍ଦ୍ର ବଜେଟ ଘୋଷଣାର ରାଜନୈତିକ ଦିଗ ନେଇ ବିରୋଧୀ ଚର୍ଚ୍ଚା କରୁଛନ୍ତି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାରରେ ରହିଥିବା ବେଳେ କେନ୍ଦ୍ରରେ ବି ନୀତିଶ କୁମାରଙ୍କ ଜେଡିୟୁ ବିଜେପିର ବଡ଼ ଆବଶ୍ୟକତା। କାରଣ ବିଜେପିକୁ ଏକାକୀ ସଂଖ୍ୟା ଗରିଷ୍ଠତା ମିଳିନଥିବା ବେଳେ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସାହାରାରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଛି । ତେଣୁ ବିହାର ପାଇଁ ବଜେଟରେ ବଡ ଘୋଷଣା ଆଶା କରାଯାଉଥିଲା ।

କେନ୍ଦ୍ର ବଜେଟ୍ ନା ବିହାର ବଜେଟ୍ ?

ବଜେଟରେ ବିହାରକୁ ଫୋକସକୁ ସମାଲୋଚନା କରିଛନ୍ତି ବିରୋଧୀ । ଏହା କେନ୍ଦ୍ର ସରକାରଙ୍କ ବଜେଟ୍ ନା ବିହାରର ବଜେଟ୍ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଅନ୍ୟ କୌଣସି ରାଜ୍ୟର ନାଁ ଶୁଣିବାକୁ ମିଳିଛି କି, ବୋଲି ଏକ୍ସରେ ସେ ପ୍ରଶ୍ନ କରିଛନ୍ତି । ସେହିପରି ବିହାରରେ ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ପାଇଁ ବଜେଟରେ ଘୋଷଣା ହେବା ସ୍ବାଭାବିକ । ତେବେ ଏନଡିଏର ଅନ୍ୟତମ ସହଯୋଗୀ ଟିଡିପି କ୍ଷମତାରେ ରହିଥିବା ଆନ୍ଧ୍ରପ୍ରଦେଶକୁ କାହିଁକି ଏଭଳି କ୍ରୁରତାର ସହ ଅବହେଳା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ଗତ ଜୁଲାଇ ମାସରେ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ସେଥିରେ ଉଭୟ ବିହାର ଓ ଆନ୍ଧ୍ରପ୍ରଦେଶକୁ ଫୋକସ କରାଯାଇଥିଲା । ଉଭୟ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଏଥର ବିହାର ପାଇଁ ଅନେକ ଘୋଷଣା ହୋଇଛି । ତେବେ ଏହା ବିହାର ନିର୍ବାଚନ ପାଇଁ ଲଲିପପ୍ ବୋଲି କହିଛନ୍ତି ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ।

Comments are closed.