ନୂଆଦିଲ୍ଲୀ: କେମିତି ହେବ ଦେଶର ଆଗାମୀ ବଜେଟ୍? କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ? ଚାକିରି, ଶିକ୍ଷା, ସ୍ୱାସ୍ଥ୍ୟ ନା ଷ୍ଟାର୍ଟଅପ୍? ଏଥର ଏସବୁ ପ୍ରସଙ୍ଗରେ କେବଳ ଅର୍ଥନୀତିଜ୍ଞ କିମ୍ବା ଶିଳ୍ପପତି ନୁହନ୍ତି, ନିଜ ମତ ରଖିବେ ଦେଶର ଯୁବପିଢ଼ି ତଥା Gen Z। ୨୦୨୭-୨୮ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାରଠାରୁ ବଜେଟ୍ ପୂର୍ବ ପରାମର୍ଶ ବୈଠକ ଆରମ୍ଭ କରିଛନ୍ତି। ଏଥର ଯୁବପ୍ରତିନିଧିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ରଖାଯାଇଛି। ଏଥିରେ ସେମାନେ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ବସି ବଜେଟ୍ ସମ୍ପର୍କରେ ନିଜର ମତ ରଖିପାରିବେ।
ସୋମବାର ପ୍ରଥମ ବୈଠକରେ ବହୁ ବରିଷ୍ଠ ଅର୍ଥନୀତିଜ୍ଞ ଯୋଗଦେଇ ସରକାରୀ ଋଣ ଓ ଆର୍ଥିକ ନିଅଣ୍ଟ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଥିଲେ। ଆଗକୁ ସରକାରଙ୍କ ଖର୍ଚ୍ଚ ବଢ଼ିବାକୁ ଥିଲେ ମଧ୍ୟ ଦେଶର ଋଣ ହ୍ରାସ କରିବା ଲକ୍ଷ୍ୟରୁ ପଛକୁ ହଟିବା ଉଚିତ ନୁହେଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ସେୟାର ବଜାରରେ ନିବେଶ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଆଶ୍ୱସ୍ତିର ଆଶା ରହିଛି। ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ (LTCG) ହ୍ରାସ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏକ ବର୍ଷରୁ ଅଧିକ ସମୟ ପରେ ସେୟାର ବିକ୍ରି କରି ମିଳୁଥିବା ଲାଭ ଉପରେ ୧୨.୫% ଏବଂ ଏକ ବର୍ଷ ପୂର୍ବରୁ ବିକ୍ରି କଲେ ୨୦% ଟିକସ ଲାଗୁଛି। ଏହା ସହିତ ସେୟାର କିଣାବିକା ଉପରେ STT ଏବଂ ଡିଭିଡେଣ୍ଡ ଉପରେ ମଧ୍ୟ ଟିକସ ଦେବାକୁ ପଡ଼ୁଛି। ତେଣୁ LTCG ଟିକସ କମିଲେ ନିବେଶକମାନେ ଲାଭବାନ ହୋଇପାରନ୍ତି।
ଅଷ୍ଟମ ବେତନ ଆୟୋଗର ସୁପାରିସ ଲାଗୁ ହେଲେ ସରକାରୀ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ଏହାସହ ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧିକୁ ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ତୈଳ ଦର ବୃଦ୍ଧିକୁ ଅସ୍ଥାୟୀ ସମସ୍ୟା ଭାବେ ବିଚାର କରିବାକୁ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ୨୦୩୦-୩୧ ସୁଦ୍ଧା ଦେଶର ଋଣକୁ ଜିଡିପିର ୫୦% (୧% କମ୍ କିମ୍ବା ଅଧିକ) ମଧ୍ୟରେ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ନଭେମ୍ବର ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପରାମର୍ଶ ବୈଠକ ଚାଲିବ। ଏହି ସମୟରେ ବ୍ୟାଙ୍କ, ବୀମା କମ୍ପାନୀ, ସେୟାର ବଜାର, ଉତ୍ପାଦନ ଓ ଆର୍ଥିକ ବଜାରର ପ୍ରତିନିଧିଙ୍କ ସହ ଆଲୋଚନା ହେବ। ଏଥିସହ ଷ୍ଟାର୍ଟଅପ୍, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଭିତ୍ତିଭୂମି, ଶକ୍ତି ଓ କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରର ପ୍ରତିନିଧିମାନେ ମଧ୍ୟ ନିଜର ପରାମର୍ଶ ଦେବେ। ପ୍ରଥମ ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅନୁରାଧା ଠାକୁର, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନଙ୍କ ସମେତ ଧୀରଜ ନିମ୍, ପ୍ରାଚୀ ମିଶ୍ରା, ଦୀପ୍ତି ଦେଶପାଣ୍ଡେ ଓ ସେବିର ପୂର୍ବତନ ପୂର୍ଣ୍ଣକାଳୀନ ସଦସ୍ୟ ଅନନ୍ତ ନାରାୟଣ ଯୋଗ ଦେଇଥିଲେ। କୃଷି କ୍ଷେତ୍ରର ପ୍ରତିନିଧିଙ୍କ ସହ ମଧ୍ୟ ପୃଥକ୍ ଆଲୋଚନା ହୋଇଥିଲା।
