ଉଦୟପୁର: ଦେଶରେ ‘ଅତିଥି ଦେବୋ ଭବଃ’ କେବଳ ଏକ ନାରାରେ ସୀମିତ ରଖିବା ଉଚ୍ଚିତ ନୁହେଁ । ଅତିଥିଙ୍କ ସମ୍ମାନ କରିବା ଏବଂ ଅସମ୍ମାନ କରୁଥିବା ଲୋକଙ୍କୁ ଉଚ୍ଚିତ ଦଣ୍ଡ ଦେବାରେ ବିଶ୍ୱାସ ରଖିବା ଆବଶ୍ୟକ । ସେମିତି ଜଣେ ଅତିଥିଙ୍କୁ ଅସମ୍ମାନର ଖବର ଆସିଛି ରାଜସ୍ଥାନର ‘ସିଟି ଅଫ୍ ଲେକ୍ସ’ ଉଦୟପୁରରୁ । ଯେଉଁଠି ଜଣେ ମହିଳା ଥାଇ ୟୁଟ୍ୟୁବରଙ୍କୁ ଅସମ୍ମାନ କରାଯାଇଛି ସେପୁଣି ତାଙ୍କ ଲାଇଭ୍ଷ୍ଟ୍ରିମିଂ ବେଳେ । ସହରରେ ଚାଲିଥିବା ମ୍ୟୁନିସିପାଲ କର୍ପୋରେସନ ଫେୟାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟ ମୋବାଇଲରେ କଏଦ କରିବା ସହ ସୋସିଆଲ ମିଡିଆରେ ଲାଇଭ କଲାବେଳେ ଉଦୟପୁରର ଜଣେ ଅଟୋ ଡ୍ରାଇବର ତାଙ୍କୁ ବାରମ୍ବାର ଚୁମ୍ବନ ପାଇଁ କହିଥିଲେ । ସମ୍ପୃକ୍ତ ମହିଳା ମନା କରିବା ସତ୍ତ୍ୱେ ଥରେ ଦୁଇଥର ୩ଥର ତାଙ୍କୁ ଚୁମ୍ବନ ପାଇଁ କହିଥିଲେ ଏବଂ ଶେଷରେ ତାଙ୍କ ସହ ଫଟୋ ଉଠାଇଥିଲେ । ଏବଂ ଫଟୋ ଉଠାଇସାରିବା ପରେ ତାଙ୍କ ସହ ହାତ ମିଳାଇବାକୁ ଚାହିଁଥିଲେ ଅଟୋ ଡ୍ରାଇଭର ହେଲେ ମହିଳା ଜଣଙ୍କ ମନା କରିଦେଇଥିଲେ । ଏସବୁ ଦୃଶ୍ୟ ମହିଳାଙ୍କ ମୋବାଇଲରେ କଏଦ ହୋଇଥିଲା । ଏ ଘଟଣା ନଭେମ୍ବର ୧୩ରେ ଘଟିଥିବା ବେଳେ , ପରଦିନ ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ମହିଳା ତାଙ୍କ ଇନଷ୍ଟା ଆକାଉଂଟରେ ଅସମ୍ମାନ ତଥା ଉଦୟପୁରରେ ଲୋକ ମହିଳାଙ୍କୁ ହଇରାଣ କରୁଥିବା ଲେଖି ଭିଡିଓ ପୋଷ୍ଟ କରିଥିଲେ ।
୭୦ହଜାର ଫଲୋୟର ଥିବା ସମ୍ପୃକ୍ତ ୟୁଟ୍ୟୁବରଙ୍କ ଭିଡିଓ ପୋଲିସ ପାଖରେ ପହଂଚିବା ପରେ ପୋଲିସ ନେଇଛି କଡା ଆକ୍ସନ । ସମ୍ପୃକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଷ୍ଟେସନ ହାଉସ ପୋଲିସ ଅଟୋ ଡ୍ରାଇଭର ଅଫତାବ୍ ଓରଫ ଗବରୁକୁ ଗିରଫ କରିଛି । ଗବରୁର ଘର ଉଦୟପୁର ସେକ୍ଟର ୧୧ର ମହାରାଜ କା ଅଖଣ୍ଡରେ । ମହିଳା ୟୁଟ୍ୟୁବର ଜଣଙ୍କ ବିଶ୍ୱ ଭ୍ରମଣରେ ବାହାରିଥିବା ବେଳେ ଉଦୟପୁରରେ ଆସି ପହଂଚିଥିଲେ । ଏବଂ ୨ଦିନ ହେବ ସମ୍ପୃକ୍ତ ମହିଳାଙ୍କୁ ସହର ବୁଲାଇଥିଲେ ଅଟୋ ଡ୍ରାଇଭର ଗବରୁ । ଉଦୟପୁର ବୁଲିବାକୁ ଗବରୁକୁ ଟଙ୍କା ଦେଇଥିଲେ ମହିଳା । ହେଲେ ମହିଳାଙ୍କ ପ୍ରତି ତାଙ୍କ ଏପରି ଅଶାଳୀନ ବ୍ୟବହାର କେବଳ ପୋଲିସ ନୁହେଁ ସାଧାରଣଲୋକଙ୍କୁ ଚିନ୍ତାରେ ପକାଇଦେଇଛି । ସୁରଜପୋଲ ଥାନାରେ ଅଫତାବ୍ ନାଁରେ ମାମଲା ରୁଜୁ ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସମ୍ମାନ ନକରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କଡା ଚେତାବନୀ ଦେଇଛି ।
ସେପଟେ ଘଟଣାକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଟୋ ଡ୍ରାଇଭରକୁ ସମସ୍ତେ ଭୁଲ୍ କହିବା ସହ ନାରୀକୁ ଅସମ୍ମାନ ଠିକ୍ ନୁହେଁ ବୋଲି କହିଛନ୍ତି । ଏମିତିକି ଜଣେ ଭାରତୀୟଙ୍କ ଏପରି ବ୍ୟବହାର ଦେଖି ସବୁ ଭାରତୀୟଙ୍କୁ ସମାନ ଭାବନ୍ତୁନାହିଁ ବୋଲି କହିଛନ୍ତି କିଛି ଫଲୋୟର । କିଛିଜଣ ତ ଦେଶରେ ମହିଳା ପର୍ଯ୍ୟଟକଙ୍କୁ ଅସମ୍ମାନ କରାଯାଇଥିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ପବ୍ଲିକ ପ୍ଲେସରେ ଏପରି ମହିଳାଙ୍କୁ ଅସଦାଚରଣ ଗ୍ରହଣୀୟ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
