ନୂଆଦିଲ୍ଲୀ: ବର୍ଷକୁ ଦୁଇ ଥର ପାଳିତ ହୁଏ ଦୀପାବଳି । ଭାରତର ଅନ୍ୟ ଅଞ୍ଚଳରେ ଦୀପାବଳିର ଆଲୋକ ପର୍ବ ସରିଯାଇଥିବା ବେଳେ, ଏହି ପାହାଡ଼ିଆ ଅଞ୍ଚଳରେ ଠିକ୍ ମାସକ ପରେ ପୁଣି ଥରେ ପାଳନ ହୁଏ ଆଲୋକର ପର୍ବ। ବର୍ଷକୁ ଦୁଇଥର ଦୀପାବଳି ପାଳନର ଏହି ନିଆରା ପରମ୍ପରାକୁ କୁହାଯାଏ ‘ବୁଢ଼ୀ ଦୀପାବଳି’ ବା ‘ଇଗାସ୍-ବଗ୍ୱାଲ୍’ କୁହାଯାଏ। ମଶାଲର ଆଲୋକ, ଲୋକଗୀତ ଓ ନାଚଗୀତରେ ମୁଖରିତ ହୋଇଉଠେ ପାହାଡ଼ିଆ ଗାଁ । ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ଏହି ପର୍ବ ପାଳନ ହେବ। ଏହି ଦିନ ଲୋକମାନେ କେବଳ ଦୀପ ଜଳାନ୍ତି ନାହିଁ, ବରଂ କାଠର ମଶାଲ ଧରି ନାଚଗୀତ ଓ ପାରମ୍ପରିକ ଲୋକଗୀତ ସହ ଉତ୍ସବ ପାଳନ କରନ୍ତି।
କାହିଁକି ପାଳନ ହୁଏ ବୁଢ଼ୀ ଦୀପାବଳି?
ଏହି ପର୍ବ ପାଳନ ପଛରେ ଅନେକ ଲୋକକଥା ଓ ମାନ୍ୟତା ରହିଛି। ସବୁଠାରୁ ପ୍ରଚଳିତ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀରାମ ୧୪ ବର୍ଷର ବନବାସ ଶେଷ କରି ରାବଣକୁ ବଧ କରି ଅଯୋଧ୍ୟା ଫେରିବା ପରେ ସାରା ଦେଶରେ ଦୀପାବଳି ପାଳନ କରାଯାଇଥିଲା। କିନ୍ତୁ ପାହାଡ଼ିଆ ଅଞ୍ଚଳଗୁଡ଼ିକ ଦୁର୍ଗମ ହୋଇଥିବାରୁ ଶ୍ରୀରାମଙ୍କ ଫେରିବା ଖବର ସେଠାରେ ବିଳମ୍ବରେ ପହଞ୍ଚିଥିଲା। ଖବର ପାଇବା ପରେ ସେଠାକାର ଲୋକମାନେ ଦୀପ ଜଳାଇ ଉତ୍ସବ ପାଳନ କରିଥିଲେ। ଅନ୍ୟ ସ୍ଥାନ ତୁଳନାରେ ବିଳମ୍ବରେ ଦୀପାବଳି ପାଳନ ହୋଇଥିବାରୁ ଏହାକୁ ‘ବୁଢ଼ୀ ଦୀପାବଳି’ କୁହାଯାଉଥିବା ମାନ୍ୟତା ରହିଛି।
ବୁଢ଼ୀ ଦୀପାବଳିର ଆଉ ଏକ ଲୋକକଥା ପ୍ରାୟ ୪୦୦ ବର୍ଷ ପୂର୍ବର ବୀର ଯୋଦ୍ଧା ମାଧୋ ସିଂହ ଭଣ୍ଡାରୀଙ୍କ ସହ ଜଡ଼ିତ। କୁହାଯାଏ, ଟେହରୀର ରାଜା ମହୀପତି ଶାହ ମାଧୋ ସିଂହଙ୍କୁ ସେନା ସହ ତିବ୍ବତରେ ଯୁଦ୍ଧ କରିବାକୁ ପଠାଇଥିଲେ। ଦୀପାବଳି ସମୟରେ ସେ ଓ ତାଙ୍କ ସେନା ଫେରିନଥିବାରୁ ଲୋକମାନେ ପର୍ବ ପାଳନ କରିନଥିଲେ। ଦୀପାବଳିର ପ୍ରାୟ ୧୧ ଦିନ ପରେ ସେନା ଫେରିବା ପରେ ଲୋକମାନେ ଦୀପ ଜଳାଇ ଖୁସିରେ ଉତ୍ସବ ପାଳନ କରିଥିବା କୁହାଯାଏ। ଏହି ଘଟଣାରୁ କେତେକ ଅଞ୍ଚଳରେ ଇଗାସ୍-ବଗ୍ୱାଲ୍ ପରମ୍ପରା ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି।
ଉତ୍ତରାଖଣ୍ଡ ବ୍ୟତୀତ ହିମାଚଳ ପ୍ରଦେଶର କୁଲ୍ଲୁ, ନିରମଣ୍ଡ, ସିରମୌର ଓ ଅନ୍ୟ କେତେକ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବୁଢ଼ୀ ଦୀପାବଳି ପାଳନ କରାଯାଏ। ଏଠାରେ ଏହି ପର୍ବକୁ ଭଗବାନ ପର୍ଶୁରାମଙ୍କ ଅସୁରମାନଙ୍କ ଉପରେ ବିଜୟ ସହ ଯୋଡ଼ାଯାଏ। କେତେକ ସ୍ଥାନରେ ନାଗ ରୂପୀ ରାକ୍ଷସଙ୍କ ଉପରେ ବିଜୟକୁ ନେଇ ଲୋକକଥା ମଧ୍ୟ ପ୍ରଚଳିତ। ଏହି ଅବସରରେ ମହାଭାରତ ଯୁଦ୍ଧର ଦୃଶ୍ୟ ଓ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଏ।
ବୁଢ଼ୀ ଦୀପାବଳିର ସବୁଠାରୁ ଆକର୍ଷଣୀୟ ପରମ୍ପରା ହେଉଛି ମଶାଲ ଜଳାଇବା। ଏହି ଦିନ ଦେବଦାରୁ ଓ ଚିର୍ ଗଛର କାଠରେ ତିଆରି ମଶାଲକୁ ‘ଭୈଲୋ’ କୁହାଯାଏ। ଲୋକମାନେ ଏହି ମଶାଲ ଧରି ଏକାଠି ହୋଇ ଲୋକଗୀତ ଗାଆନ୍ତି ଓ ପାରମ୍ପରିକ ନୃତ୍ୟ କରନ୍ତି। ଅନେକ ସ୍ଥାନରେ ନିଆଁ ଜଳାଇ ତାହାର ଚାରିପାଖରେ ବସି ଉତ୍ସବ ପାଳନ କରାଯାଏ। ଏହି ନିଆରା ପରମ୍ପରା ଆଜି ମଧ୍ୟ ପାହାଡ଼ିଆ ଅଞ୍ଚଳର ସଂସ୍କୃତି ଓ ଲୋକବିଶ୍ୱାସକୁ ଜୀବନ୍ତ ରଖିଛି।
