Latest Odisha News

BREAKING NEWS

‘ଲୋକ ଜଳୁଥିଲେ, ରାସ୍ତାରେ ଯାଉଥିବା କାରକୁ ସହାୟତା ମାଗିଲୁ..କେହି ଶୁଣିଲେନି’-ହୃଦୟଥରା ଅନୁଭୂତି ବଖାଣିଲେ ଯାତ୍ରୀ

ମୁମ୍ବାଇ:ଅନ୍ଧାର ରାତିରେ ହୁତହୁତ ଜଳୁ୍‌ଥିଲା ବସ । ବସ ଭିତରୁ ଶୁଭୁଥିଲା ବିକଳ ଚିତ୍କାର । ବଞ୍ଚାଅ.,ବଞ୍ଚାଅ ବୋଲି ଆକୁଳ ନିବେଦନ କରୁଥିଲେ ଯାତ୍ରୀ । ହେଲେ ସେମାନଙ୍କର ଆର୍ତ୍ତ ଚିତ୍କାର କାହାକୁ ହୃଦୟକୁ ତରଳାଇ ପାରି ନ ଥିଲା । ବସ ଜଳୁଥିବାବେଳେ ଅନେକ କାର ସେହି ବାଟ ଦେଇ ଯାଉଥିଲା । ହେଲେ କେହି ଗାଡି ଅଟକାଇ ନ ଥିଲେ କି ସହାୟତାର ହାତ ବଢାଇ ନ  ଥିଲେ । ଏମିତି ହୃଦୟଥରା ଅନୁଭୂତି ବଖାଣିଛନ୍ତି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀ ।

ମହାରାଷ୍ଚ୍ରର ବୁଲଧନରେ ଶୁକ୍ରବାର ବିଳମ୍ବିତ ରାତିରେ ଜଳିଗଲା ଯାତ୍ରୀବାହୀ ବସ। ବସରେ ମୋଟ୍  ୩୩ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ବସଟି ୟଭଟମଲରୁ ପୁଣେ ଆସୁଥିବା ବେଳେ ସମୃଦ୍ଧି ମହାମାର୍ଗରେ ଡିଭାଇଡରରେ ପିଟି ହୋଇ ଅଗ୍ନିକାଣ୍ଡର ଶିକାର ହୋଇଥିଲା ।ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି ସେ ସମୟର ଛାତିଥରା ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି, ହଠାତ ବସରେ ନିଆଁ ଲାଗି ଯାଇଥିଲା । ସେ ଅନ୍ୟ କେତେଜଣ ଜୀବନ ବଞ୍ଚାଇ ପାରିଥିଲୁ । ଆମେ ସମସ୍ତେ ବସର କାଚ ଭାଙ୍ଗି ସେହି ବାଟ ଦେଇ ବାହାରକୁ ଆସିଥିଲୁ । ଏହି ବ୍ୟକ୍ତି ଜଣକ ବିଦର୍ଭରୁ ଆସୁଥିଲେ । ସେ କହିଛନ୍ତି, ‘ଆମ ବସର ଟାୟାର ଫାଟିଗଲା । ସାଙ୍ଗେ ସାଙ୍ଗେ ନିଆଁ ଲାଗିଗଲା । ଦେଖୁ ଦେଖୁ ବସଟି ହୁତ ହୁତ ଜଳିବାକୁ ଆରମ୍ଭ କଲା ।’

‘ବ୍ୟକ୍ତିଜଣକ କହିଛନ୍ତି,  ମୁଁ ଓ ମୋ ପାଖରେ ବସିଥିବା ବ୍ୟକ୍ତି ଜଣକ ପଛପଟ ଝରକାର କାଚ ଭାଙ୍ଗି ବାହାରକୁ ଆସିଥିଲୁ । ଆମେ ବାହାରିବା ପରେ ହଁ ଗାଡିରେ ଏକ ବଡ ବିସ୍ଫୋରଣ ହୋଇଥିଲା । ଫାୟାର ଟିମ ଘଟଣାର ୧୦ରୁ ୧୫ ମିନିଟ ମଧ୍ୟରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ।’

ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି, ଦୁର୍ଘଟଣା ପରେ ପୋଲିସ ଓ ଦମକଳ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ସ୍ଥାନୀୟ ଜଣେ ବ୍ୟକ୍ତି କହିଛନ୍ତି, ୪/୫ ଜଣ ବସଯାତ୍ରୀ ଝରକା ଭାଙ୍ଗି ବାହାରିବାରେ ସଫଳ ହୋଇଥିଲେ । ହେଲେ ଅନ୍ୟମାନେ ବାହାରି ପାରି ନ ଥିଲେ । ଜୀବନ ବଞ୍ଚାଇ ପାରିଥିବା ବ୍ୟକ୍ତିମାନେ କହିଛନ୍ତି, ଏହି ରାସ୍ତା ଦେଇ ଅନେକ ଗାଡି ଯାଉଥିଲା । ଆମେ ସାହାଯ୍ୟ ମାଗିଥିଲୁ । କିନ୍ତୁ କେହି ଅଟକି ନ ଥିଲେ ।

ସ୍ଥାନୀୟ ଜଣେ ବ୍ୟକ୍ତି କହିଛନ୍ତି, ‘ପିମ୍ପଲଖୁଣ୍ଟାର ଏହି ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି । ହେଲେ ଆଜିର ଦୁର୍ଘଟଣା ଥିଲା ଅତି ଭୟଙ୍କର । ଆମ ଆଖି ଆଗରେ ଦେଖୁଥିଲୁ, ବସ ସମେତ ଲୋକମାନେ ଜୀବନ୍ତ ଜଳି ଯାଉଥିଲେ । ହେଲେ ନିଆଁ ଏତେ ଭୟଙ୍କର ଥିଲା ଯେ ଆମେ କେହି କିଛି କରି ପାରିନ  ଥିଲୁ । ତେବେ ଏହି ରାସ୍ତା ଦେଇ ଯାଉଥିବା ଲୋକେ ଯଦି କିଛି ସାହାଯ୍ୟ କରିଥାନ୍ତେ ହୁଏତ ଆଉ କିଛି ଜୀବନ ବଞ୍ଚି ଯାଇପାରି ଥାନ୍ତା ।’

Leave A Reply

Your email address will not be published.