Latest Odisha News

BREAKING NEWS

୭ ବର୍ଷ ତଳେ ହାତୀ ନେଇଥିଲା ବାପାଙ୍କ ଜୀବନ, ଏବେ ପୁଅକୁ କଚାଡ଼ି ମାରି ଦେଲା

ଢେଙ୍କାନାଳ: ଭାଇ ଚାଲିଗଲା… ହାତୀ ମାଆର ସିନ୍ଦୂର ପୋଛି ଆମକୁ ବାପ ଛେଉଣ୍ଡ କରିଥିଲା… ଏବେ ଭାଉଜ ହାତରୁ ଶଙ୍ଖା ଭାଙ୍ଗି ଦେଇଛି । ହାତୀ ମୋ ଭାଇକୁ ମାରି ଦେଇଛି ।… କୋହଭରା କଣ୍ଠ, ଅବୁଝା ମନ ଓ ଅଶ୍ରୁଭରା ଆଖି ଭାଇର ମଲାଦେହକୁ ଦେଖି ପାରୁନି । ମାଆ ବାହୁନି କାନ୍ଦୁଛି… ସ୍ତ୍ରୀ ବୁକୁ ଫାଟି ଯାଉଛି । ମୁଣ୍ଡ ଉପରୁ ଛାତ ହଟି ଯାଇଥିବା ବେଳେ ପାଦ ତଳୁ ଖସି ଯାଉଛି ମାଟି । ହାତୀ ଆକ୍ରମଣରେ ଚନ୍ଦନଙ୍କ ମୃତ୍ୟୁ ପରେ ପରିବାରରେ ଭାଳେଣୀ ପଡ଼ିଛି । କେମିତି ଚଳିବେ ୫ ପ୍ରାଣୀର ପରିବାର ?

ହାତୀ ଆକ୍ରମଣରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସୋଗୋରପସି ପଞ୍ଚାୟତ ପରିଖେଦା ଗାଁର ଚନ୍ଦନ ନାୟକଙ୍କ ମୃତ୍ୟୁ ହୋଇଛି । ୭ ବର୍ଷ ତଳେ ହାତୀ ଆକ୍ରମଣରେ ଆଖି ବୁଜିଥିଲେ ଚନ୍ଦନଙ୍କ ବାପା ଦାଶରଥୀ । ଆଉ ଏବେ ସେହି ହାତୀ ପୁଣି ବାପ ପରେ ପୁଅର ଜୀବନ ନେଇଛି । ଯାହାକୁ ନେଇ ପରିଖେଦା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ମେଡିକାଲ ପରିସରରେ ମାଆ ଓ ସ୍ତ୍ରୀ ବାହୁନି କାନ୍ଦି ଚେତାଶୂନ୍ୟ ହୋଇ ପଡ଼ୁଛନ୍ତି ।  ହାତୀ ଆକ୍ରମଣରେ ବାରମ୍ବାର ଜୀବନ ଯାଉଥିବାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ଗ୍ରାମବାସୀ ।

ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଚନ୍ଦନ ସକାଳେ କାମକୁ ବାହାରିଥିଲେ । ଗନ୍ଦିଆଁ ଫରେଷ୍ଟର ନାଠୁଆ ଗାଁ ନିକଟରେ ହାତୀ ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଚନ୍ଦନଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏବେ ବିଧବା ଶାଶୂ ଓ ୩ ଛୁଆଙ୍କୁ ନେଇ କିଭଳି ଚଳିବେ ସେ ଚିନ୍ତାରେ ଚନ୍ଦନଙ୍କ ପତ୍ନୀ ।

କେତେବେଳେ ହାତୀ ଆକ୍ରମଣରେ ମଣିଷ ତ ଆଉ କେବେ ମଣିଷର ଆକ୍ରମଣରେ ହାତୀ ଜୀବନ ହାରୁଛନ୍ତି । ହାତୀଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ଗ୍ରହଣ ସହ ଜନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.