ଚିଲିକା: ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ପ୍ରଶାସନର ଆକ୍ସନ । କ୍ରମାଗତ ଭାବେ ଚାରିଦିନ ହେଲା ଚାଲିଛି ଏହି ଉଚ୍ଛେଦ ଅଭିଯାନ । ଏଯାଏଁ ବାହାର ଚିଲିକାରୁ ପ୍ରାୟ ୨୫୭୦ ଏକର ବେଆଇନ ଘେରି ଉଚ୍ଛେଦ ହୋଇସାରିଲାଣି । ହାଇକୋର୍ଟ ଓ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ପ୍ରଶାସନ ଆକ୍ସନ ମୋଡରେ ରହିଛି । ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ପରିବେଶ ଓ ଜଳଜୀବଙ୍କ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ରୋକିବା ପାଇଁ ଆରମ୍ଭ ହୋଇଛି ବଡ଼ ଧରଣର ଉଚ୍ଛେଦ ପ୍ରକ୍ରିୟା ।
କୃଷ୍ଣପ୍ରସାଦ ତହସିଲଦାର ସହଦେବ ସାହୁଙ୍କ ନେତୃତ୍ୱରେ ଏହି ଉଚ୍ଛେଦ ଅଭିଯାନ ଚାଲିଛି ।କେବଳ ବାହାର ଚିଲିକା ନୁହେଁ, ଏବେ ମଝି ଚିଲିକାରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ବୋଟ୍ ଉପରେ ଜେସିବି ମେସିନ୍ ନେଇ ଘେରିଗୁଡ଼ିକୁ ଭାଙ୍ଗୁଛି ପ୍ରଶାସନ ।
ଏଥିସହ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
