Latest Odisha News

BREAKING NEWS

ସ୍ୱର୍ଣ୍ଣ ମନ୍ଦିରରେ ଫାୟାରିଂ: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀରଙ୍କ ଉପରକୁ ଗୁଳିମାଡ଼

ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଆଜି ସକାଳେ ଘଟିଛି ଏହି ଘଟଣା। ତେବେ ବାଦଲ ସୁରକ୍ଷିତ ଅଛନ୍ତି।

ତାଙ୍କର କିମ୍ବା ଅନ୍ୟ କୌଣସି ଲୋକଙ୍କର କୌଣସି କ୍ଷତି ହୋଇନାହିଁ। ଆତତାୟୀ ଗୁଳିମାଡ କରିବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଧରିପକାଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତା ନିକଟରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ନାମ ନାରାୟଣ ସିଂ ଚୌରା ବୋଲି କୁହାଯାଉଛି । ସିଏ ଖାଲସା ଦଳ ସହ ଜଡିତ ବୋଲି ଜଣାପଡିଛି ।

ସୂଚନାଥାଉକି, ଆକ୍ରମଣକାରୀ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ର ପୂର୍ବତନ ସଦସ୍ୟ ବୋଲି ଜଣାପଡିଛି । କୁହାଯାଉଛି ଯେ ସେ ୧୯୮୪ରେ ପାକିସ୍ତାନ ଯାଇଥିଲେ। ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରୁଥିଲେ। ଆକ୍ରମଣକାରୀ ମଧ୍ୟ ଗରିଲା ଯୁଦ୍ଧ ବିଷୟରେ ଏକ ପୁସ୍ତକ ଲେଖିଥିବା ଜଣାଯାଇଛି। ସେ ବୁରାଇଲ ଜେଲ ଭାଙ୍ଗିବା ମାମଲାରେ ଜଣେ ଅଭିଯୁକ୍ତ ଏବଂ ପଞ୍ଜାବ ଜେଲରେ ମଧ୍ୟ ତାଙ୍କ ଦଣ୍ଡ ଭୋଗୁଛନ୍ତି।

ଅନ୍ୟପଟେ ୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲା ସହିତ ଅନ୍ୟାନ୍ୟ ଭୁଲ୍‌ କରି ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡ ଦିଆଯାଇଛି। ତାଙ୍କ ଦଣ୍ଡ ସ୍ୱରୂପ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ, ବାସନ ଓ ଜୋତା ସଫା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି। ତେବେ ତାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଦୁଇ ଦିନ ହେବ ସ୍ୱର୍ଣ୍ଣ ମନ୍ଦିରର ଫାଟକ ସମ୍ମୁଖରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ହୁଇଲ ଚେୟାରରେ ବସି ହାତରେ ଏକ ବର୍ଚ୍ଛା ଧରି ସେ ଏହି ସେବା କରୁଛନ୍ତି। ଆଜି ସକାଳେ ସେ ଏହି ସେବା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Leave A Reply

Your email address will not be published.