ନୂଆଦିଲ୍ଲୀ: ବ୍ରାଜିଲର ଲିମେରାରେ ପୋଣ୍ଟେ ଡୋ ଏସକାଲାଟୋ ଟ୍ରେଲରେ ବଞ୍ଜି ଜମ୍ପିଙ୍ଗ ସମୟରେ ଜଣେ ୨୪ ବର୍ଷୀୟ ମହିଳା ପ୍ରାୟ ୩୦ ମିଟର ତଳକୁ ଖସି ପଡ଼ି ମୃତ୍ୟୁବରଣ କରିଥିଲେ। CNN ବ୍ରାସିଲିଆ ଅନୁଯାୟୀ, ଆୟୋଜକ କମ୍ପାନୀର କର୍ମଚାରୀମାନେ ସୁରକ୍ଷା ରଶିକୁ ବାନ୍ଧି ନଥିଲେ। ଯାହା ଫଳରେ ଏହି ଦୁର୍ଘଟଣା ଶନିବାର ସକାଳେ ଘଟିଛି।
ପ୍ରତ୍ୟକ୍ଷଦର୍ଶୀ ଏବଂ ଭାଇରାଲ ଭିଡିଓ ଅନୁଯାୟୀ, ଦୁଇଜଣ ବ୍ୟକ୍ତି ମହିଳାଙ୍କୁ ବ୍ରିଜରୁ ଡେଇଁବା ପାଇଁ ତଳକୁ ଛାଡି ଦେଇଥିଲେ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଲୋକମାନେ ଜାଣିପାରିଲେ ଯେ ସୁରକ୍ଷା ରଶି ତାଙ୍କ ସହିତ ଲାଗି ନାହିଁ। ଏହା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ପାଖରେ ଥିବା ଲୋକମାନେ ମହିଳାଙ୍କ ଉପରେ CPR କରିଥିଲେ କିନ୍ତୁ ଗୁରୁତର ଆଘାତ ଯୋଗୁଁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ପୋଲିସ ଅନୁଯାୟୀ, ଏହି ମାମଲାରେ ପଚରାଉଚରା ପାଇଁ ଛଅ ଜଣଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ, ସେତେବେଳେ ପୀଡିତାଙ୍କ ସହିତ ଦୁଇଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ପଚରାଉଚରା ସମୟରେ, ଜଣେ ପୋଲିସ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଅନ୍ୟ ପାର୍ଶ୍ୱକୁ ଯିବାରୁ ଦୁଇ ଅଭିଯୁକ୍ତ ଜଙ୍ଗଲକୁ ପଳାଇ ଯାଇଥିଲେ। ଯାହା ପରେ ହେଲିକପ୍ଟର ଯୋଗେ ସେମାନଙ୍କୁ ଖୋଜା ଯାଇ ଗିରଫ କରାଯାଇଥିଲା।
