Latest Odisha News

BREAKING NEWS

ବୁନୁ ବନାମ ବାଇଆଁ: ଭୁବନେଶ୍ୱର ମଧ୍ୟକୁ ନେଇ ଦୋଛକିରେ ବିଜେଡି?

ଭୁବନେଶ୍ୱର: ଦିନ ଗଡୁଛି, କଳି ବଢୁଛି। ବିଜେଡିକୁ ନୟାନ୍ତ କଲାଣି ଭୁବନେଶ୍ୱର ମଧ୍ୟ ସିଟ୍ ! ବୁନୁ ବନାମ ବାଇଆଁ ! କାହାକୁ ପ୍ରାର୍ଥୀ କରିବ ଦଳ ? ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଭୁବନେଶ୍ୱର ମଧ୍ୟ ବିବାଦ । ବିଜେଡି ଟିକେଟ୍ ପାଇଁ ଚରମରେ ଗୋଷ୍ଠୀ କନ୍ଦଳ । ୩ ଥରରେ ବି ଛିଣ୍ଡିଲାନି ଟିକେଟ୍ ଗଣିତ । ଝୁଲିଛି ଆଶାୟୀଙ୍କ ଭାଗ୍ୟ । କାହାକୁ ଭରସା କରିବେ ନବୀନ ?

ହାଟରେ ପଡି ଦାଣ୍ଡରେ ଗଡୁଛି ବିଜେଡିର ଭୁବନେଶ୍ୱର ମଧ୍ୟ କଳି । ଆସନରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ କଣ୍ଟା ସାଜିଛନ୍ତି କର୍ପୋରେଟର ଅମରେଶ ଜେନା । ରୁଦ୍ର ସାମନ୍ତରାୟ ମଧ୍ୟ ସିଟ୍ ପାଇଁ ଅନ୍ୟତମ ଆଶାୟୀ । ଅନନ୍ତଙ୍କୁ ହଟାଇବା ପାଇଁ ଉଭୟ ରୁଦ୍ର ଓ ଅମରେଶ ହାତ ମିଳାଇଛନ୍ତି । ମେଳି କରି ଏକାଠି ପ୍ରଚାର ବି କଲେଣି । ସେପଟେ ଅମରେଶଙ୍କୁ କାଉଣ୍ଟର କରିଛନ୍ତି ଅନନ୍ତ । ସମର୍ଥକଙ୍କ ସହ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

କୁହାଯାଉଛି, ଅମରେଶ କିମ୍ବା ରୁଦ୍ରଙ୍କ ମଧ୍ୟରୁ ବିଜେଡି ଜଣଙ୍କୁ ପ୍ରାର୍ଥୀ କଲେ ଅନ୍ୟଜଣେ ସମର୍ଥନ କରିବେ । ତେବେ ଅନନ୍ତଙ୍କୁ ଟିକେଟ୍ ମିଳିଲେ ଉଭୟଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏପରିକି ଅମରେଶଙ୍କ ସମର୍ଥନରେ ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ନବୀନ ନିବାସରେ ଫେରାଦ ହୋଇଥିବା ଜଣାପଡିଛି । ସେପଟେ ସାଂସଦ ଟିକେଟ୍ ନପାଇ ନିରାଶ ଶ୍ରୀମୟୀ ବି ଭୁବନେଶ୍ୱର ମଧ୍ୟ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।

ବିଦ୍ରୋହ ସତ୍ତ୍ୱେ ଭୁବନେଶ୍ୱର ଏକାମ୍ରରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି । ବିରଞ୍ଚି ନାରାୟଣ ମହାସୁପକାର ଅଶୋକଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ବି ଅଶୋକଙ୍କୁ ପୁଣି ଭରସା କରିଛି ଦଳ । ତେଣୁ ଭୁବନେଶ୍ୱର ମଧ୍ୟରେ କାହାକୁ ପ୍ରାର୍ଥୀ କରିବ ବିଜେଡି, ତାକୁ ନେଇ ସସପେନ୍ସ ଜାରି ରହିଛି ।

୨୦୦୯ରେ ଗଠିତ ହୋଇଥିବା ଭୁବନେଶ୍ୱର ମଧ୍ୟ ଆରମ୍ଭରୁ ବିଜେଡି କବଜାରେ ରହିଛି । ତେବେ ପ୍ରତି ନିର୍ବାଚନରେ ବଢିବାରେ ଲାଗିଛି ବିଜେପି ଭୋଟ୍ ପର୍ସେଣ୍ଟେଜ୍ । କଂଗ୍ରେସର ଭୋଟ୍ କମିବାରେ ଲାଗିଛି । ସିଟ୍ ଅଧୀନରେ ଥିବା ୧୯ଟି ୱାର୍ଡ ମଧ୍ୟରୁ ୩ଟି ବିଜେପି ଦଖଲରେ ରହିଛି । ଏଥର ବିଜେପିରୁ ସିଟ୍ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ବିଜେଡିରେ ଟିକେଟ୍ ନିଷ୍ପତ୍ତି ହୋଇନଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି । ବିଜେଡିର ବିଜୟ ଧାରାରେ ବ୍ରେକ୍ ଦେବ କି ବିଜେପି ? ବିଜେଡିକୁ ମହଙ୍ଗା ପଡିବ କି ଅନ୍ତକନ୍ଦଳ ? ନା ପୁଣି ଭୁବନେଶ୍ୱର ମଧ୍ୟରେ ହେବ ଶଙ୍ଖନାଦ ?

Comments are closed.