Latest Odisha News

BREAKING NEWS

ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ବାରିପଦାରେ ବସ୍ ଚଳାଚଳ

ବାରିପଦା: ଜିଦରୁ ଓହରିଲେ ଘରୋଇ ବସ ସଂଘ । ୩ ଦିନ ଧରି ବାରିପଦାରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସନ୍ଧ୍ୟାରୁ ହେବ ସ୍ବାଭାବିକ । ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ବାରିପଦା ବାସୀ । ସେପଟେ ନିଜ ଜିଦରେ ଘରୋଇ ବସ୍ ବାଲା ଅଟଳ ଥିବା ବେଳେ ରବିବାର ସକାଳେ ୧୪ ଟି ସରକାରୀ ବସକୁ ଚାଲୁ କରିଥିଲେ ଜିଲ୍ଲା ପ୍ରଶାସନ । ଏହାରି ଭିତରେ ବାରିପଦା ବସ୍‌ଷ୍ଟାଣ୍ଡରୁ ସନ୍ଧ୍ୟା ସୁଦ୍ଧା ଘରୋଇ ବସ୍‌ ଗଡ଼ିବ ବୋଲି ସୂଚନା ମିଳିଛି । ବେତନଟୀରେ ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯିବା ପରେ କିଛି ଏଭଳି ସୂଚନା ଦେଇଛନ୍ତି ଉତ୍ତର ଓଡ଼ିଶା ବସ୍‌ ମାଲିକ ସଂଘ ସମ୍ପାଦକ ।

ତେବେ ଶନିବାର ମଧ୍ୟ ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ବାରିପଦା ଏସପି ସୂଚନା ଦେଇଥିବା ବେଳେ ଏଥିରେ ଅରାଜିକତା ପ୍ରକାଶ କରିଥିଲେ ଘରୋଇ ବସ ସଂଘ । ଯାହାଫଳରେ ଗତକାଲି ବି ଗଡିପାରିନଥିଲା ବସ୍ । ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ରବିବାର ସକାଳେ ୧୪ ଟି ସରକାରୀ ବସ୍ ଚାଲୁ କରାଯାଇଥିଲା ।

ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଭଦ୍ରକରୁ ବାରିପଦା ମଧ୍ୟରେ ଚାଲୁଥିବା ‘ମାଆ ଦୁର୍ଗା’ ନାମକ ଘରୋଇ ବସ୍ ସନ୍ଧ୍ୟା ୮ଟା ୯ ମିନିଟରେ ବାରିପଦା ବସଷ୍ଟାଣ୍ଡ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲା। ତେଣୁ ନିୟମ ଅନୁଯାୟୀ ବସଟି ସେହି ସମୟରେ ପ୍ରତିଦିନ ପ୍ରବେଶ କରେ ଏବଂ ୮ଟା ୨୫ ମିନିଟ ସୁଦ୍ଧା ଷ୍ଟାଣ୍ଡରୁ ବାହାରେ। ହେଲେ ଶୁକ୍ରବାର ବସଟି ସନ୍ଧ୍ୟା ସାଢ଼େ ୭ ଟାରେ ଷ୍ଟାଣ୍ଡ ଭିତରେ ପଶିଯାଇଥିଲା। ସେଥିପାଇଁ ଷ୍ଟାଣ୍ଡ କର୍ମଚାରୀମାନେ ବିରୋଧ କରିଥିଲେ। ହେଲେ ‘ମାଆ ଦୁର୍ଗା’ ବସ୍ ପରିଚାଳକ ଜବରଦସ୍ତି ପଶିଥିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତିତର୍କ ଭିତରେ ୧୦୦ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଷ୍ଟାଣ୍ଡ ଭିତରେ ପଶି ବସ୍ ମାଲିକ ଓ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁଁ ୫ ଜଣ ଗୁରୁତର ହୋଇଛନ୍ତି। ଯାହାକୁ ନେଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବେ ବେଳେ ଯିବା ଆସିବାରେ ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହେଉଥିଲେ ଲୋକେ ।

Leave A Reply

Your email address will not be published.