Latest Odisha News

BREAKING NEWS

ବଡ଼ ଚେତାବନୀ: ବନ୍ଦ ହେବ କି ବସ୍ ଓ ଟ୍ରକ୍ ଚଳାଚଳ? ସମାଧାନ ପାଇଁ ୪୮ ଘଣ୍ଟା ମାଗିଲା ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲକୁ ନେଇ ଦେଖାଦେଇଥିବା ଚିନ୍ତା ଏବେ ସାଧାରଣ ଗ୍ରାହକଙ୍କ ସମସ୍ୟାରେ ସୀମିତ ରହିନାହିଁ। ଏହାର ପ୍ରଭାବ ସିଧାସଳଖ ପରିବହନ ବ୍ୟବସ୍ଥା ଉପରେ ପଡ଼ିବା ଆରମ୍ଭ କରିଛି। ଅନେକ ଜିଲ୍ଲାରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍। କେଉଁଠି ତେଲ ନାହିଁ। କେଉଁଠି ତେଲ ମିଳୁଥିଲେ ମଧ୍ୟ ସୀମିତ ପରିମାଣରେ ଦିଆଯାଉଥିବା ଅଭିଯୋଗ। ଏଭଳି ସ୍ଥିତିରେ ବସ୍ ଓ ଟ୍ରକ୍ ମାଲିକମାନେ ଚଳାଚଳ ବନ୍ଦ ହେବାର ଆଶଙ୍କା ଉଠାଇଛନ୍ତି।

ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ତେଲ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଖରାରେ ସିଝୁଛନ୍ତି। ଗୁଜବ ହେଉ କି ବାସ୍ତବତା, ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ହନ୍ତସନ୍ତ। ତେବେ ଏହି ଇନ୍ଧନ ସଙ୍କଟର ସବୁଠୁ ବଡ଼ ମାଡ଼ ପଡ଼ିଛି ସାରା ରାଜ୍ୟରେ ପରିବହନ ସେବା ଯୋଗାଉଥିବା ବସ୍ ଓ ଟ୍ରକ୍ ମାଲିକମାନଙ୍କ ଉପରେ। ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି । ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଛି । ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁନାହିଁ।

ପେଟ୍ରୋଲ ପମ୍ପଗୁଡ଼ିକରେ ଆବଶ୍ୟକ ପରିମାଣର ଡିଜେଲ୍ ମିଳୁନଥିବାରୁ ମାଲବାହୀ ଟ୍ରକ୍ ଏବଂ ଯାତ୍ରୀବାହୀ ବସ୍ ଗୁଡ଼ିକ ରାସ୍ତା ମଝିରେ ଅଟକି ରହୁଛି। ଡିଜେଲ ନମିଳିଲେ ଗାଡ଼ି ଗୁଡ଼ିକ ଚାଲିବ କେମିତି? ଏଭଳି ସ୍ଥିତିରେ ସେବା ଯୋଗାଇବା ଆଦୌ ସମ୍ଭବ ନୁହେଁ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଯଦି ତୁରନ୍ତ ଡିଜେଲ୍ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ବାଧ୍ୟ ହୋଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ମାଲିକ ସଂଘ ପକ୍ଷରୁ ସରକାରଙ୍କୁ ରୋକ୍‌ଠୋକ୍ ଶୁଣାଇ ଦିଆଯାଇଛି।

ଏଭଳି ସମସ୍ୟା ଲାଗି ରହିଲେ ୬, ୭ ଦିନରେ ବନ୍ଦ ହୋଇଯିବ ଘରୋଇ ବସ୍। ପବ୍ଲିକ୍‌ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ କରିଛି ସଂଘ।

ଯଦି ରାଜ୍ୟରେ ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ହୋଇଯାଏ, ତେବେ ସ୍ଥିତି କଣ ହେବ ତାହା ସହଜେ ଅନୁମେୟ। ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ଯୋଗାଣ ବାଧାପ୍ରାପ୍ତ ହେବା ସହ ବଜାର ଦର ଆକାଶଛୁଆଁ ହେବ। ସେପଟେ ଯାତ୍ରୀମାନେ ମଧ୍ୟ ଘୋର ଦୁର୍ଦ୍ଦଶା ଭୋଗିବେ। ଏହାକୁ ନେଇ ପରିବହନ ବିଭାଗରେ ହଲଚଲ ସୃଷ୍ଟି ହୋଇଛି। ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତୁରନ୍ତ ଏକ ଜରୁରୀ ବୈଠକ ଡାକିଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ତୈଳ ସଙ୍କଟର ପ୍ରକୃତ କାରଣ, ଲୋକେ ଆତଙ୍କିତ ହୋଇ ଅଧିକ କିଣିବା ଏବଂ ଏହାର ଆଶୁ ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଦୀର୍ଘ ଆଲୋଚନା ପରେ ଏସ୍‌ଟିଏ ପକ୍ଷରୁ ସଂଘକୁ ଦୃଢ଼ ଆଶ୍ୱାସନା ଦିଆଯାଇଛି। ତୈଳ ଯୋଗାଣ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଏବଂ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ଡିଜେଲ୍ ଉପଲବ୍ଧ କରାଇବା ପାଇଁ ଏସ୍‌ଟିଏ ଅଧିକାରୀମାନେ ୪୮ ଘଣ୍ଟା ସମୟ ମାଗିଛନ୍ତି। ସରକାରୀ ପ୍ରତିଶ୍ରୁତି ପରେ ବସ୍ ଓ ଟ୍ରକ୍ ମାଲିକ ସଂଘ ନିଜର ଧର୍ମଘଟ ବା ଚକା ଜାମ୍ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।

ତେବେ ସଂଘ ସ୍ପଷ୍ଟ କରିଛି ଯେ, ୪୮ ଘଣ୍ଟା ମଧ୍ୟରେ ଯଦି ସ୍ଥିତିରେ ସୁଧାର ନଆସେ ଆଉ ଗାଡ଼ିକୁ ଡିଜେଲ୍ ନମିଳେ, ତେବେ ବିନା ନୋଟିସ୍‌ରେ ଗାଡ଼ି ଚଳାଚଳ ବନ୍ଦ କରାଯିବ। ବର୍ତ୍ତମାନ ସମସ୍ତଙ୍କ ନଜର ଆଗାମୀ ଦୁଇ ଦିନ ଉପରେ ରହିଛି।

Leave A Reply

Your email address will not be published.