Latest Odisha News

BREAKING NEWS

ରାଜ କୁନ୍ଦ୍ରାଙ୍କୁ ସମନ ପଠାଇଲା ଇଡି, କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି। ପର୍ଣ୍ଣଗ୍ରାଫି ଓ ଆଡଲ୍ଟ ଫିଲ୍ମ ବଣ୍ଟନ ଅଭିଯୋଗ ଏବଂ ମନିଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି।

କୁନ୍ଦ୍ରାଙ୍କୁ ଚଳିତ ସପ୍ତାହରେ ହିଁ ତଦନ୍ତକାରୀ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି। ଇଡି ମୁମ୍ବାଇ ଏବଂ ଉତ୍ତରପ୍ରଦେଶର କେତେକ ସହରର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ୪୯ ବର୍ଷିୟ କୁନ୍ଦ୍ରାଙ୍କ ଘର ଏବଂ ଅଫିସ ସମେତ ଅନ୍ୟ କେତେକ ସ୍ଥାନ ମଧ୍ୟ ସାମିଲ ଥିଲା। ଚଢ଼ାଉ କରିବା ପରେ ଏହି ସମନ ଜାରି କରାଯାଇଛି। ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ଇଡି ସମନ ଜାରି କରି ପଚରାଉଚରା ପାଇଁ ଡାକିଛି। ରାଜ କୁନ୍ଦ୍ରଙ୍କୁ ସୋମବାର ସକାଳ ୧୧ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ଏହି ମନିଲଣ୍ଡରିଂ ମାମଲା ମେ’ ୨୦୨୦ରେ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ଏଫ୍‌ଆଇଆର୍‌ ଓ ମୁମ୍ବାଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରୁ ଆସିଛି। ଏହି ମାମଲାରେ ବ୍ୟବସାୟୀ ଏବଂ ଅନ୍ୟ କେତେକଙ୍କୁ ଗିରଫ ମଧ୍ୟ କରାଯାଇଥିଲା, ଯାହା ପରେ ସେମାନେ କୋର୍ଟରୁ ଜାମିନ ପାଇଥିଲେ। କୁନ୍ଦ୍ରାଙ୍କ ବିରୋଧରେ ଅର୍ଥ ହେରଫେରର ଏହା ହେଉଛି ଦ୍ୱିତୀୟ ମାମଲା। ଏହାପୂର୍ବରୁ, କ୍ରିପ୍ଟୋ କରେନ୍ସି ମାମଲାରେ ଇଡି ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ୯୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ତେବେ ଏହାକୁ ବିରୋଧ କରି ସେମାନେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା।

Comments are closed.