ହାଇଦ୍ରାବାଦ: ଚୀନର ବୈଦ୍ୟୁତିକ କାର କମ୍ପାନୀ ବିୱାଇଡି ଭାରତରେ କମ୍ପାନୀ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରଛି । ତେବେ ତେଲାଙ୍ଗାନାରେ ପ୍ରଥମ କରି ବିୱାଇଡି ଫ୍ୟାକ୍ଟ୍ରି ଆରମ୍ଭ ହେବାକୁ ଯାଉଛି । ତେଲାଙ୍ଗାନା ସରକାରଙ୍କ ସହାୟତାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିବ କମ୍ପାନୀ । ଏନେଇ ତେଲାଙ୍ଗାନା ସରକାର ଖୁବଶୀଘ୍ର ବିୱାଇଡି କମ୍ପାନୀକୁ କାରଖାନା ପ୍ରତିଷ୍ଠା ପାଇଁ ଜମି ଯୋଗାଇବା ସହ ସମସ୍ତ ସହାୟତା ପ୍ରଦାନ କରିବେ।
ରାଜ୍ୟ ସରକାର ହାଇଦ୍ରାବାଦର ଆଖପାଖ ଅଞ୍ଚଳରେ ୟୁନିଟ ସ୍ଥାପିତ କରିବା ପାଇଁ ବିୱାଇଡିକୁ ତିନୋଟି ଉପଯୁକ୍ତ ସ୍ଥାନର ପ୍ରସ୍ତାବ ଦେଇଛନ୍ତି । କମ୍ପାନୀର ପ୍ରତିନିଧି ତିନୋଟି ସ୍ଥାନର ଯାଞ୍ଚ ପରେ ଅନ୍ତିମ ନିଷ୍ପତ୍ତି ନେବେ । ଏହାପରେ ପରିଯୋଜନା ପାଇଁ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର ହେବ । ଏହାପରେ ତେଲାଙ୍ଗାନା ରାଜ୍ୟକୁ ବେସରକାରୀ କ୍ଷେତ୍ରରେ ସବୁଠାରୁ ବଡ ପରିଯୋଜନା ସହ ଇଲେକ୍ଟ୍ରିକ କାର ସେଗମେଣ୍ଟରେ ବଡ ନିବେଶ ହାସଲ କରିବ ।
କାର ପ୍ଲାଣ୍ଟ ସହ ବିୱାଇଡି ଭାରତରେ ୨୦ ଗିଗାୱାଟର ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନା ପାଇଁ ଯୋଜନା କରୁଛି । ଆଗାମୀ ପାଞ୍ଚରୁ ସାତ ବର୍ଷ ମଧ୍ୟରେ କମ୍ପାନୀ ବାର୍ଷିକ ଛଅ ଲକ୍ଷରୁ ଊର୍ଦ୍ଧ୍ବ ଇଲେକ୍ଟ୍ରିକ କାର ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛି ।
ବିୱାଇଡିରେ ୧ମେଗାୱାଟ ଚାର୍ଜର ରହିଛି ଯାହାକି ମାତ୍ର ୫ ରୁ ୮ ମିନିଟ ମଧ୍ୟରେ କାର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ କରିବାରେ ସକ୍ଷମ ହୋଇଥାଏ । ଥରେ ଚାର୍ଜ କଲେ ଏହା ୪୦୦ କିଲୋମିଟର ଯାତ୍ରା କରେ ।
ଯଦି ବିୱାଇଡି ଭାରତରେ ଇଲେକ୍ଟ୍ରିକ କାର ନିର୍ମାଣ କରିବାରେ ସଫଳ ହୁଏ ତେବେ ବହୁତ କମ ଦାମରେ ଭାରତ ବଜାରରେ ଏହାକୁ ବିକ୍ରି କରିପାରିବ । ବର୍ତ୍ତମାନ କମ୍ପାନୀ ଚୀନରୁ ଇଲେକ୍ଟ୍ରିକ କାର ଆମଦାନୀ କରିଥାଏ । ଯେଉଁଥିରେ ଆମଦାନୀ ଶୁଳ୍କ ଲାଗୁ ପରେ ଭାରତରେ ବିୱାଇଡି କାର ଦର ଚଢାଦାମରେ ବିକ୍ରି ହେଉଛି ।
ତେବେ ବିୱାଇଡି ଗତ ଦୁଇ ବର୍ଷ ଧରି ଭାରତରେ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଉଦ୍ୟମ କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଚାଇନିଜ ନିବେଶ କଟକଣାକୁ ନେଇ ବର୍ତ୍ତମାନ ସୁଦ୍ଧା କମ୍ପାନୀକୁ ସଫଳ ମିଳୁନାହିଁ । ଏବେ ଏଥିରେ କିଛି ଛାଡ ପରେ ବିୱାଇଡି ପରିଯୋଜନା ପାଇଁ ପ୍ରସ୍ତୁତ ହେଲାଣି ।
Comments are closed.