Latest Odisha News

BREAKING NEWS

କିଟ୍‌ରେ ଅନୁଷ୍ଠିତ ହେବ ସି-୨୦ ସମ୍ମିଳନୀ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜି-୨୦ଢାଞ୍ଚା ଅନ୍ତର୍ଗତ ସିଭିଲ୍‌୨୦ (ସି-୨୦) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦେଶ ଓ ବିଦେଶରୁ ୪୦୦ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେବେ । ସି-୨୦ ହେଉଛି ଜି-୨୦ର ଅଫିସିଆଲ୍‌ ଏନ୍‌ଗେଜମେଣ୍ଟ ଗ୍ରୁପ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକ ସମାଜ ସଂଗଠନ, ଏନ୍‌ଜିଓ ସମେତ ନାଗରିକ ସମାଜର ବିଚାରକୁ ଜି-୨୦ର ମୁଖ୍ୟ ଆଲୋଚନାରେ ଅନ୍ତର୍ଭୁକ୍ତ କରିବା ଓ ଏସବୁ ନୀତି ତଥା ପ୍ରତିବଦ୍ଧତା ଆକାରରେ ଜି-୨୦ ନେତୃମଣ୍ଡଳୀଙ୍କ ଘୋଷଣାନାମାରେ ସ୍ଥାନ ପାଇବାକୁ ସୁନିଶ୍ଚିତ କରିବା ।

ସି-୨୦ ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରି ନିଜର ମତାମତ ରଖିବେ । ଏହିସବୁ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟରେ ସ୍ଥାନ ପାଇଥିବା କିଟ୍‌ ବିଶ୍ୱବିଦ୍ୟାଳୟକୁ ଲିଙ୍ଗଗତ ସମାନତା ଏବଂ ଦିବ୍ୟାଙ୍ଗ ବିଷୟବସ୍ତୁ ଉପରେ ସି-୨୦ ସମ୍ମିଳନୀ ଆୟୋଜନ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏହି ସମ୍ମିଳନୀରେ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀର ପରାମର୍ଶଦାତା ବୋର୍ଡ ସଦସ୍ୟଙ୍କ ସମେତ ସ୍ଥାନୀୟ ତଥା ଦେଶ ଓ ବିଦେଶର ନାଗରିକ ସମାଜ ସଂଗଠନ ପ୍ରତିନିଧି, ସରକାରଙ୍କ ପ୍ରତିନିଧି, ଅନ୍ତର୍ଜାତୀୟ ପ୍ରତିନିଧି, ଜି-୨୦ର ଅନ୍ୟ ଏନ୍‌ଗେଜମେଣ୍ଟ ଗ୍ରୁପ୍‌ ଏବଂ କାର୍ଯ୍ୟକାରୀ ଗୋଷ୍ଠୀର ସଦସ୍ୟ, ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀର ସଦସ୍ୟ ଏବଂ ଅତିରିକ୍ତ ପର୍ଯ୍ୟବେକ୍ଷକଙ୍କ ସମେତ ୪୦୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।

ଏହି ସମ୍ମିଳନୀରେ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀ ଅସମାନତାର ସମସ୍ତ ଦିଗ ଓ ସମସ୍ୟା ଉପରେ ଆଲୋଚନା କରିବା ସହ ଶାରୀରିକ ଓ ମାନସିକ ଦିବ୍ୟାଙ୍ଗଙ୍କ ସମସ୍ୟା ଓ ସମାଧାନ ନିମନ୍ତେ ଆଲୋଚନା ହେବ । ଏହା ମାଧ୍ୟମରେ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀ ସମାନତା ଓ ବିକାଶ ଦୃଷ୍ଟିକୋଣକୁ ଏକ ବୁଝାମଣା ଜରିଆରେ ମଜବୁତ୍‌ କରିବାର ଲକ୍ଷ୍ୟ  ରହିଛି, ଯେଉଁଠି ସମାଜ ଓ  ସ୍ଥାୟୀ ବିଶ୍ୱ ଗଠନ ନିମନ୍ତେ ପାରସ୍ପାରିକ ସମ୍ମାନ ଓ ଦୟା  ବୈଶ୍ୱିକ ପ୍ରଶାସନର ମୂଳ ଆଧାର ହେବ।

ସୂଚନାଯୋଗ୍ୟ କି ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶୀଖର ସମ୍ମିଳନୀର ବିଷୟବସ୍ତୁ ବସୁଧୈବ କୁଟୁମ୍ବକମ୍‌ ଅର୍ଥାତ ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ ରଖାଯାଇଛି।

Leave A Reply

Your email address will not be published.