ଭୁବନେଶ୍ୱର: ଦେଶରେ ସର୍ବାଧିକ ସିଜରିଆନ୍ ଓଡ଼ିଶାରେ ହେଉଛି। ଯାହା ଆବଶ୍ୟକତାଠୁ ଅଧିକ। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ନିୟନ୍ତ୍ରଣ କରିବାକୁ ଯାଇ ଘରୋଇ ଡାକ୍ତରଖାନାରେ ସିଜେରିଆନ୍ ଡେଲିଭରି (ସି-ସେକ୍ସନ)ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ-୪ ତଥ୍ୟ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଘରୋଇ ହସ୍ପିଟାଲରେ ସି-ସେକ୍ସନ ଡେଲିଭରି ୫୩.୭%ରୁ ୭୦.୭%କୁ ବୃଦ୍ଧି ପାଇଛି। ଅଧ୍ୟୟନରୁ ଅଧିକ ହାର ପ୍ରକାଶ ପାଇଥିବାରୁ ସରକାର ସି-ସେକ୍ସନ ଅଡିଟ୍ ବ୍ୟବସ୍ଥାକୁ ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ସରକାର କେବଳ ସି-ସେକ୍ସନ ଡେଲିଭରିର ଅଡିଟ୍ କରୁଥିଲେ, ଯାହା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କରାଯାଉଥିଲା। ଏବେ କିନ୍ତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତ ୩୦ଟି ଜିଲ୍ଲା ଓ ନଗରାଞ୍ଚଳରେ ଥିବା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସେମାନଙ୍କ ଅଧୀନରେ ଆସୁଥିବା ଡାକ୍ତରଖାନାଗୁଡ଼ିକର ଅଡିଟ୍ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ ୧ ତାରିଖରୁ ଏହି କାମ ଆରମ୍ଭ ହେବ ଏବଂ ଅଡିଟ୍ ପାଇଁ ସିଡିଏମ୍ଓ ଓ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀଙ୍କୁ ଚୟନ କରାଯିବ।
ଅଡିଟ୍ କରିବା ପାଇଁ ଜଣେ ବରିଷ୍ଠ ଡାକ୍ତର ହସ୍ପିଟାଲକୁ ଯାଇ ପ୍ରତ୍ୟେକ ସି-ସେକ୍ସନ ମାମଲାର ରିପୋର୍ଟ ନେବେ। ଅପରେସନ୍ କରୁଥିବା ଡାକ୍ତରଙ୍କୁ ସି-ସେକ୍ସନ ଡେଲିଭରିର କାରଣ ଦେବାକୁ ପଡ଼ିବ। ଘରୋଇ ହସ୍ପିଟାଲଗୁଡ଼ିକୁ ସେହି ଅନୁସାରେ ନୂଆ ନିୟମ ବିଷୟରେ ଅବଗତ କରାଯିବ, ଏବଂ ପ୍ରତି ମାସରେ ହସ୍ପିଟାଲରୁ ରିପୋର୍ଟ ମିଳିବ।
ତେବେ ରିପୋର୍ଟ ଅନୁଯାୟୀ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ୭୦.୭ ପ୍ରତିଶତ ରହିଛି ସିଜରିଆନ ଡେଲିଭରି ରହିଥିବା ବେଳେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ। ୨୦୧୫-୧୬ ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ପ୍ରତିଶତ ଥିଲା ୫୩.୭ ପ୍ରତିଶତ। କିନ୍ତୁ ଗତ କିଛି ବର୍ଷ ହେବ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ସଂଖ୍ଯା ବଢିଚାଲିଛି। ଏହାର ଅନ୍ୟତମ କାରଣ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋଲି ମଧ୍ୟ କୁହାଯାଉଛି।
ସରକାରୀ ହସ୍ପିଟାଲରେ ରାଜ୍ୟରେ ସିଜରିଆନ ଡେଲିଭରି କେସ ୧୫.୬ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହି ସଂଖ୍ୟା ୧୫.୫ ପ୍ରତିଶତ ରହିଛି । ମୋଟ ଉପରେ ସରକାରୀ ଓ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ୨୧.୫ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ୨୧.୬ ପ୍ରତିଶତ ରହିଛି। ନିୟମ ଅନୁଯାୟୀ ୮୫ ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହେବା କଥା।
ସରକାର କହିଛନ୍ତି ଯେ ସି-ସେକ୍ସନ ପ୍ରସବ ପାଇଁ ବିଶ୍ବ ସ୍ଲାସ୍ଥ୍ଯ ସଂଗଠନର ପ୍ୟାନେଲ ଦ୍ୱାରା ସୁପାରିଶ କରାଯାଇଥିବା ପ୍ରଜନନ ଶିଶୁ ସ୍ୱାସ୍ଥ୍ୟର ଆଦର୍ଶ ପ୍ରତିଶତ ପୂରଣ ହୋଇନାହିଁ। ଏବେ ତିନୋଟି ଭିନ୍ନ ଭିନ୍ନ ପ୍ରୋଟୋଟାଇପ ଅଡିଟ୍ ଫର୍ମାଟ ପ୍ରସ୍ତୁତ କରାଯାଇଛି। ଏବଂ ସେଗୁଡ଼ିକୁ ସିଡିଏମଓ ଏବଂ ପିଏଚ୍ଓ ମଧ୍ୟରେ ବଣ୍ଟନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆର୍ଥିକ ଅଭାବ ଯୋଗୁଁ ଅନେକ ସିଜରିଆନ୍ କରିପାରୁନଥିଲେ। ଏବେ କିନ୍ତୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବା ପରେ ଅନେକ ବ୍ୟକ୍ତି ବିନା ସଙ୍କୋଚରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ସିଜରିଆନଠୁ ଆରମ୍ଭ କରି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବାର ଲାଭ ଉଠାଉଛନ୍ତି।
Comments are closed.