Latest Odisha News

ଓଡ଼ିଶୀ ସଙ୍ଗୀତ ପାଇବ ଶାସ୍ତ୍ରୀୟ ମାନ୍ୟତା !

ଭୁବନେଶ୍ୱର: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ଆଜି ଐତିହ୍ୟ କ୍ୟାବିଟେରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟ ଐତିହ୍ୟ କ୍ୟାବିନେଟ ଆଜି ୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ଦ୍ଵିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ରାଜ୍ୟରେ କଳା, ସଂସ୍କୃତି ଓ ଐତିହିଁର ପୁନରୁଦ୍ଧାର ତଥା ସଂରକ୍ଷଣ ନିମନ୍ତେ ୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି।

ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କ୍ୟାବିନେଟର ମଞ୍ଜୁରୀ ଲାଭ କରିଥିବା ୭ଟି ପ୍ରସ୍ତାବ ଉପରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାର ୧୯୬୪ ମସିହାରେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଏବଂ ୨୦୧୪ରେ ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦେବା ପରେ ରାଜ୍ୟ ସରକାର ୨୦୦୮ରେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି। ତେଣୁ ଓଡିଶୀ ନୃତ୍ୟ ପରି ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ଅନୁମୋଦନ ନିମନ୍ତେ ଆଜି ଐତିହ୍ୟ କ୍ୟାବିନେଟରେ ପ୍ରସ୍ତାବ ମଂଜୁର ହୋଇଛି।

ଏଥିସହ ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି । ସେହିପରି ରାଜ୍ୟ ସଂଗ୍ରାହଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ଏବଂ ରାଜ୍ୟ ସଂଗ୍ରାହଳୟ ଓ ଆନନ୍ଦ ଭବନ ସଂଗ୍ରାହଳୟକୁ ଭର୍ଚୁଆଲ କରାଯିବାକୁ ରାଜ୍ୟ ସରକାର ମଂଜୁରୀ ଦେଇଛନ୍ତି। ସେହିପରି ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି କରାଯାଇଛି ।

ଅତିବଡି, କବି ସମ୍ରାଟ, ଧର୍ମପଦ, ବ୍ୟାସ କବି ପୁରସ୍କାର ରାଶି ୫ ଲକ୍ଷକୁ ବୃଦ୍ଧି ହୋଇଛି । ଏକାଡେମୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ସମ୍ବର୍ଦ୍ଧନା ପୁରସ୍କାର ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ ପାଇଁ ସାଢ଼େ ୧୧ କୋଟି ଟଙ୍କା ବ୍ୟୟ କରାଯିବା ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି ।

Comments are closed.