Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀର ବିସ୍ଥାପିତଙ୍କ ଲାଗି ୫.୫ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ବିସ୍ଥାପିତ ପରିବାର ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପାକ ଅଧିକୃତ ଜମ୍ମୁ ଓ କାଶ୍ମୀର ଏବଂ ଛାମ୍ବରରୁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଜମ୍ମୁ ଓ କାଶ୍ମୀର ପାଇଁ ୨୦୧୫ରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଅନ୍ତର୍ଗତ ପୂର୍ବଘୋଷିତ ଥଇଥାନ ଯୋଜନାରେ ସାମିଲ କରାଯିବ । ଏଥିରେ ପୂର୍ବରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏବଂ ପରେ ପୁଣି ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫,୩୦୦ ପରିବାରଙ୍କୁ ସାମିଲ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ନଭେମ୍ବର ୩୦ ତାରିଖ ୨୦୧୬ରେ କେନ୍ଦ୍ର କ୍ୟାବିନେଟ ଜମ୍ମୁ ଓ କାଶ୍ମୀର ବିସ୍ଥାପିତଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ ।

ଲାଭ :

ଏହି ଅନୁମୋଦନ ଫଳରେ ବିସ୍ଥାପିତ ପରିବାରଗୁଡ଼ିକ ବର୍ତମାନର ଯୋଜନା ଅନ୍ତର୍ଗତ ୫.୫ ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପାଇବା ଲାଗି ଯୋଗ୍ୟ ବିବେଚିତ ହେବେ । ସେହିପରି ଏହି ଯୋଜନାର ଉଦ୍ଦେଶ୍ୟ ଅନ୍ତର୍ଗତ ସେମାନେ କିଛି ସ୍ଥିର ଆୟ ପାଇବାକୁ ଯୋଗ୍ୟ ହୋଇପାରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ୧୯୪୭ରେ ପାକିସ୍ତାନର ଆକ୍ରମଣ ଫଳରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓଜେକେ)ର ୩୧,୬୧୯ ପରିବାର ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଚାଲିଆସିଥିଲେ । ଏମାନଙ୍କ ମଧ୍ୟରୁ ୨୬,୩୧୯ ପରିବାର ଜମ୍ମୁ ଓ କାଶ୍ମୀର ରାଜ୍ୟରେ ରହିଯାଇଥିଲେ । ବାକି ୫୩୦୦ ପରିବାର ଦେଶର ଅନ୍ୟ ପ୍ରାନ୍ତକୁ ରହିବା ପାଇଁ ଚାଲିଯାଇଥିଲେ । ଆହୁରି ୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ ଅଧିକ ୧୦,୦୬୫ଟି ପରିବାର ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ ହୋଇଥିଲେ । ୧୯୬୫ ଯୁଦ୍ଧ ସମୟରେ ୩୫୦୦ ପରିବାର ବିସ୍ଥାପିତ ହୋଇଥିବା ବେଳେ ୧୯୭୧ ଯୁଦ୍ଧ ସମୟରେ ୬୫୬୫ ପରିବାର ବିସ୍ଥାପିତ ହୋଇଥିଲେ ।

୩୦.୧୧.୨୦୧୬ରେ କ୍ୟାବିନେଟ ଅନୁମୋଦିତ ଥଇଥାନ ପ୍ୟାକେଜରେ ୩୬,୩୮୪ ପରିବାରକୁ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରର ୨୬,୩୧୯ ପରିବାର ଏବଂ ଛାମ୍ବ ନିୟାବତ ଅଂଚଳରୁ ବିସ୍ଥାପିତ ୧୦,୦୬୫ ପରିବାର ସାମିଲ ରହିଛନ୍ତି । ତେବେ ପୂର୍ବରୁ ପାକ ଅଧିକୃତ ଜମ୍ମୁ ଓ କଶ୍ମୀରରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନକୁ ଚାଲିଯାଇଥିବା ଏବଂ ପରେ ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଫେରି ଅବସ୍ଥାପିତ ହୋଇଥିବା ୫୩୦୦ ପରିବାରକୁ ଏହି ପ୍ୟାକେଜରେ ସାମିଲ କରାଯାଇନଥିଲା ।

ଯୁଦ୍ଧ ଏବଂ ପଣବନ୍ଦୀ ଦ୍ୱାରା ପ୍ରପିଡ଼ିତ ହୋଇ ୧୯୪୭ରେ ବିସ୍ଥାପିତ ହୋଇଥିବା ଏହି ୫୩୦୦ ପରିବାର ବର୍ତମାନର ଯୋଜନାରେ ସାମିଲ ହେବା ଫଳରେ ସେମାନେ ସୁବିଧାଜନକ ମାସିକ ରୋଜଗାର ପାଇବାରେ ସଫଳ ହେବେ ଏବଂ ଆର୍ଥିକ ମୁଖ୍ୟ ସ୍ରୋତକୁ ଫେରିପାରିବେ । ଏପରି ବିସ୍ଥାପିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ସରକାରଙ୍କ ସାମର୍ଥ୍ୟକୁ ଏହା ମଧ୍ୟ ବୃଦ୍ଧି କରିବ । ଏହି ଯୋଜନାରେ ପୂର୍ବରୁ ମଞ୍ଜୁର ହୋଇଥିବା ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ।

Leave A Reply

Your email address will not be published.