Latest Odisha News

ଅମିତ ଶାହା ଆସିଲେ ବଡ଼ ଘୋଷଣା !

ଭୁବନେଶ୍ବର: ଆସନ୍ତା ୨୨ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସରକାରୀ ଗସ୍ତରେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ ରେସପନ୍ସ ଭେଇକିଲର ଶୁଭାରମ୍ଭ କରିବେ ଶାହା । ତେବେ ତାଙ୍କ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବି ଗୁରୁତ୍ବପୂର୍ଣ୍ଣ । ରାଜ୍ୟ ବିଜେପି ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ନିଗମ, ବୋର୍ଡ ନିଯୁକ୍ତି ନେଇ ଶାହାଙ୍କ ଗସ୍ତରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । ସେହିପରି ରାଜ୍ୟ ବିଜେପି ସଭାପତି ନିର୍ବାଚନ କସରତ ଚାଲିଥିବା ବେଳେ ଶାହା ଏଥିରେ ଫାଇନାଲ୍ ମୋହର ଲଗାଇପାରନ୍ତି । ମନ୍ତ୍ରୀ, ନଗମ ଓ ବୋର୍ଡ ନିଯୁକ୍ତି ନେଇ ଆଶାୟୀଙ୍କ ଲବି ଜୋରଦାର ହେଉଛି ।

ହାତରୁ ଯିବ ମନ୍ତ୍ରୀପଦ !

ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ୯ମାସ ହୋଇଥିଲେ ବି ଏପର୍ଯ୍ୟନ୍ତ ଖାଲିପଡିଛି ୬ଟି ମନ୍ତ୍ରୀ ପଦ । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ଜଣ ମନ୍ତ୍ରୀ ହୋଇପାରିବେ । ହେଲେ ମୁଖ୍ୟମନ୍ତ୍ରୀ, ୨ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ଜଣ ମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଦର୍ଶନ ଭିତ୍ତିରେ କିଛି ମନ୍ତ୍ରୀଙ୍କ ମନ୍ତ୍ରୀପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବିବାଦୀୟ ମନ୍ତବ୍ୟ ସହ ଗତ ୯ମାସ ମଧ୍ୟରେ ଯେଉଁ ମନ୍ତ୍ରୀମାନେ ଆଶାଜନକ ଭାବେ ପ୍ରଦର୍ଶନ କରିନାହାନ୍ତି, ସେମାନଙ୍କୁ ବାଦ ଦିଆଯାଇପାରେ ।

ସାମିଲ ହେବେ ନୂଆ ଚେହେରା

କିଛି ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସାମିଲ ହେବେ । କେନ୍ଦ୍ରାପଡା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ବର, କଳାହାଣ୍ଡି, କନ୍ଧମାଳ ପରି ୧୭ଟି ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ମିଳିନି । ସେହିପରି ବିଜେଡିରୁ ଆସିଥିବା ନେତା ବି ନିରାଶ ହୋଇଛନ୍ତି । ଏବେକାର ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜନଜାତି ବର୍ଗରୁ ୩ଜଣ, ୨ଅନୁସୂଚିତ ବର୍ଗ ଓ ୫ଜଣ ଓବିସି ବର୍ଗର ମନ୍ତ୍ରୀ ରହିଛନ୍ତି । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଜିଲ୍ଲା ସାଙ୍ଗକୁ ଜାତି ସମୀକରଣ ବି ଦେଖିପାରନ୍ତି ମୋହନ ମାଝୀ। ଦକ୍ଷ ତଥା ବିଧାନସଭାରେ ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ । ବରିଷ୍ଠ ସାଙ୍ଗକୁ ଯୁବ ଚେହେରାଙ୍କୁ ସ୍ଥାନ ଦିଆଯାଇପାରେ । ଶାହାଙ୍କ ଓଡିଶା ଗସ୍ତ ବେଳେ ଏନେଇ ଫାଇନାଲ୍ ମୋହର ବାଜିପାରେ ବୋଲି କୁହାଯାଉଛି। ସେହିପରି ବିଜେପିର ବିଭିନ୍ନ ଗୋଷ୍ଠୀକୁ ମଧ୍ୟ ବାଲାନ୍ସ କରାଯିବ ।

ରାଜ୍ୟ ସଭାପତି ଚୟନ ନିଷ୍ପତ୍ତି

ବିଜେପିର ମଣ୍ଡଳ ଓ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିଥିଲେ ବି ରାଜ୍ୟ ସଭାପତି ନିଷ୍ପତ୍ତି ହୋଇପାରିନାହିଁ । ଦଳୀୟ ରାଷ୍ଟ୍ରୀୟ ସମ୍ପାଦକ ତରୁଣ ଚୁଗ ଏହା ଭିତରେ ୩ଥର ଓଡିଶା ଆସି ସାଂଗଠନିକ ନିର୍ବାଚନ ନେଇ ଆଲୋଚନା କରିଛନ୍ତି । ଦଳର ରାଜ୍ୟ ନେତୃତ୍ବ ମଧ୍ୟ ଦିଲ୍ଲୀ ଯାଇ ବୈଠକ କରିଛନ୍ତି । ହେଲେ ସମାଧାନର ବାଟ ବାହାରି ପାରିନାହିଁ । ତେଣୁ ଅମିତ ଶାହାଙ୍କ ଗସ୍ତ ସମୟରେ ଏନେଇ ବି ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ବିଶ୍ବେଶ୍ବର ଟୁଡୁ ପ୍ରମୁଖ ବିଜେପି ରାଜ୍ୟ ସଭାପତି ରେସରେ ରହିଛନ୍ତି ।

ଚୂଡାନ୍ତ ହେବ ନିଗମ, ବୋର୍ଡ

ବୋର୍ଡ ଓ ନିଗମରେ କାହାକୁ ଦାୟିତ୍ବ ମିଳିବ? ସେନେଇ ମଧ୍ୟ ଅମିତ ଶାହା ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି । ବିଜେପି ସରକାର ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ ପରଦା ପଛରେ ରହି ସଂଗଠନ ଦାୟିତ୍ବ ନେଇଥିବା ନେତାଙ୍କୁ ଦଳ ବୋର୍ଡ ଓ ନିଗମ ପଦ ପଦବୀରେ ଥଇଥାନ କରିବାକୁ ଚିନ୍ତା କରୁଛି । ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ଉପରେ ଆମଦାନୀ ନେତାଙ୍କ ସହ ବହୁ ଆଶାୟୀଙ୍କ ନଜର ରହିଛି । ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡି ବିଜେପିକୁ ଆସିଥିବା ନେତା ବି ଏଥିରେ ସାମିଲ ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗଙ୍କ ପରି ବରିଷ୍ଠ ନେତା ମାନସ ମନ୍ଥନ କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି ।

Leave A Reply

Your email address will not be published.