Latest Odisha News

BREAKING NEWS

ତୁମେ ମୋତେ ବିବାହ କରିବ…ଏମିତି କହୁଥିଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଜୁନ୍ ୨୫ତାରିଖରେ କୋଲକାତା ଲ କଲେଜରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ମନୋଜିତ ମିଶ୍ରା । କ୍ୟାମ୍ପସ ନେତା ମନୋଜିତ ମିଶ୍ରା ଓରଫ ମଙ୍ଗୁର କ୍ରାଇମ କୁଣ୍ଡଳୀରେ ଚମକାଇବା ଭଳି ତଥ୍ୟ ସାମନାକୁ ଆସିଛି । ପୂର୍ବରୁ ବି ମନୋଜିତ ବିରୋଧରେ ଛୁରାମାଡ଼, ଯୌନ ହିଂସା ଭଳି ୫ଟି ସଂଗୀନ ମାମଲା ଦର୍ଜ କରାଯାଇଛି । ଏପରିକି ପୂର୍ବ ରେକର୍ଡକୁ ଦେଖି ମନୋଜିତକୁ ତାର କିଛି ସହପାଠୀ ମାନସିକ ରୋଗୀ ବି ମନେ କରନ୍ତି । କ୍ୟାମ୍ପସରେ ମନୋଜିତର ଏତେ ପ୍ରଭାବ ଥିଲା ଯେ, ତାକୁ ଅଧ୍ୟାପକ ଓ ଅନ୍ୟ ଷ୍ଟାଫମାନେ ଭୟ କରୁଥିଲେ । ଆଉ ସେଥିପାଇଁ ତା ନାଁରେ ପୂର୍ବରୁ ବିଭିନ୍ନ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ତୁମେ ମୋତେ ବିବାହ କରିବ?

କୋଲକାତା ଲ କଲେଜ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରା ଗତ ୧୨ବର୍ଷ ଧରି କ୍ୟାମ୍ପସରେ ମନମାନି ଚଳାଇଥିଲା । ସବୁ ଝିଅଙ୍କୁ, ତୁମେ ମୋତେ ବିବାହ କରିବ କି, କହି ପ୍ରପୋଜ କରୁଥିଲା ମନୋଜିତ । ଛାତ୍ରୀମାନଙ୍କ ଫଟୋ ମର୍ଫିଂ କରିବା ସହ ବିଭିନ୍ନ ହ୍ବାଟସ ଆପ୍ ଗ୍ରୁପରେ ସେୟାର କରୁଥିଲା। ମହିଳାଙ୍କ ସହ ଅନ୍ତରଙ୍ଗ ସମୟରେ ଭିଡିଓ ସୁଟିଂ କରିବା ସହ  ନିଜ ସାଙ୍ଗମାନଙ୍କୁ ପଠାଉଥିଲା । କେବଳ ସେତିକି ନୁହେଁ ମନୋଜିତ ଓ ତା ସାଙ୍ଗମାନେ ମହିଳାଙ୍କ ଫଟୋ ଉଠାଇ ବିଭିନ୍ନ ଗ୍ରୁପରେ ପୋଷ୍ଟ କରିବା ସହ ଖରାପ ଟିପ୍ପଣୀ ଦେଉଥିଲେ । କଲେଜର ଛାତ୍ରୀଙ୍କ ମନରେ ମନୋଜିତ ଓ ତା ସାଙ୍ଗମାନେ ଏକପ୍ରକାର ଭୟ ସୃଷ୍ଟି କରୁଥିଲେ । ପଢୁଥିବା ବେଳେ ମନୋଜିତ ନାଁରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ତାକୁ କଲେଜ ଜେନେରାଲ ବଡିର ସୁପାରିସରେ ଅସ୍ଥାୟୀ କର୍ମଚାରୀ ଚାକିରି ଦିଆଯାଇଥିଲା ।

ମନମାନି କରୁଥିଲା ମନୋଜିତ

୨୦୧୩ରେ ଜଣେ ଛାତ୍ରକୁ ଛୁରାମାଡ଼ କରିଥିଲା ମନୋଜିତ। ତେବେ ରାଜନୈତିକ ଲିଙ୍କ ପାଇଁ ତାକୁ ଗିରଫ କରାଯାଇନଥିଲା । ପୋଲିସ ଯାଞ୍ଚ କରିଥିଲା, ହେଲେ ଖୋଲା ବୁଲିଥିଲା ମନୋଜିତ। ଏହି ଘଟଣା ତାର ସାହାସ ବଢାଇ ଦେଇଥିଲା । ଫଳରେ ପରବର୍ତ୍ତୀ ସମୟରେ କଲେଜ କ୍ୟାମ୍ପସରେ ମନମାନି ଚଳାଇଥିଲା ମନୋଜିତ । ଛାତ୍ରଙ୍କୁ ବନ୍ଧକ ରଖିବା ହେଉ ବା ଫିରୋତି ଅର୍ଥ ମାଗିବା ହେଉ କିମ୍ବା ମହିଳାଙ୍କ ସହ ଅସଦାଚରଣ, ଗୋଟେ ପରେ ଗୋଟେ ଅପରାଧ ଘଟାଇ ଚାଲିଥିଲା ମନୋଜିତ । ଏପରିକି ୨୦୧୭ରେ ୩୦ରୁ ୪୦ଜଣ ଗୁଣ୍ଡାଙ୍କୁ ନେଇ କୋଲକାତା ଲ କଲେଜରେ ଭଙ୍ଗାରୁଜା କରିଥିଲା । ଏଥିରେ ବି ତାର ଗିରଫଦାରୀ ହୋଇନଥିଲା । ଓଲଟା ସେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ନେତା ବନି ଯାଇଥିଲା ।

ପୂର୍ବରୁ ବି ଆସିଥିଲା ଦୁଷ୍କର୍ମ ଅଭିଯୋଗ

୨୦୨୧ରେ ମନୋଜିତକୁ ଟିଏମସିରୁ ବାହାର କରିଦିଆ ଯାଇଥିବା କୁହାଯାଉଛି । ହେଲେ ତାର ଆତଙ୍କ କମିନଥିଲା । ୨୦୨୨ରେ ଜଣେ ଛାତ୍ରୀ ତା ନାଁରେ ରାଗିଂ, ଯୌନ ଉତ୍ପୀଡନ ଓ ଧମକଚମକ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି ଆକ୍ସନ ନିଆ ଯାଇନଥିଲା । ଯେବେବି ମନୋଜିତ ନାଁରେ ଅଭିଯୋଗ ଆସୁଥିଲା, ସେ କିଛି ଦିନ ପାଇଁ ଗାଏବ ହୋଇ ଯାଉଥିଲା । କଲେଜରୁ ପାସ ହେବା ପରେ ବି କ୍ୟାମ୍ପସ ରାଜନୀତିରେ ସକ୍ରିୟ ରହିଥିଲା ମନୋଜିତ । କଲେଜର ଜେନେରାଲ ବଡିର ସୁପାରିସରେ ତାକୁ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରି ମିଳିଥିଲା ।

ମନୋଜିତଙ୍କ ବାପା ରବିନ ମିଶ୍ରା କାଳୀଘାଟରେ ପୂଜକ । ପୁଅକୁ ଭଲ କଲେଜରେ ପଢାଇବାକୁ ସେ ବହୁତ କଷ୍ଟ କରିଛନ୍ତି । ତେବେ ମନୋଜିତ ରାଜନୀତିରେ ସଂପୃକ୍ତ ହେବା ପରେ ରବିନ ତା ସହ ସବୁ ସଂପର୍କ କାଟି ଦେଇଛନ୍ତି । ଗତ ୪ବର୍ଷ ହେଲା ମନୋଜିତ ଅଲଗା ରହୁଥିବା ରବିନ କହିଛନ୍ତି । ଗତ ୨୫ତାରିଖରେ ଲ କଲେଜରେ ପ୍ରଥମ ବର୍ଷା ଛାତ୍ରୀଙ୍କୁ ମନୋଜିତ ଓ ତାର ଦୁଇ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ ବେଳର ଭିଡିଓ ସୁଟ୍ କରିବା ସହ ଚୁପ୍ ରହିବାକୁ ମନୋଜିତ ଧମକ ଦେଇଥିବା ପୀଡିତା କହିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ତନାଘନା କରୁଛି ପୋଲିସ । ମାମଲାରେ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରାଯାଇଛି ।

Comments are closed.