ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି ! ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ପ୍ରଚଣ୍ଡ ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆପ୍ । ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଆମ ଆଦମୀ ପାର୍ଟି ୨୦୧୩ରେ ପ୍ରଥମ ନିର୍ବାଚନ ଲଢିଥିଲା । କଂଗ୍ରେସ ସହଯୋଗରେ ୪୯ଦିନ ମୁଖ୍ୟମନ୍ତ୍ରୀ ହୋଇଥିଲେ କେଜ୍ରିଓ୍ବାଲ । ଏହାପରେ ୨୦୧୫ ଓ ୨୦୨୦ ବିଧାନସଭାରେ ବଡ଼ ବିଜୟ ହାସଲ କରିଥିଲା ଆପ୍ । ଏଥର ନିର୍ବାଚନ ଆପ୍ ପାଇଁ ଅଗ୍ନିପରୀକ୍ଷା ହୋଇଥିଲେ ବି ଦଳ ପାଇଁ ବିଜୟ ଆଣିପାରେ ଏସବୁ କାରଣ ।
ଆପର ବଳ ଦିଲ୍ଲୀ ମଡେଲ୍
୭୦ ବିଧାନସଭା ସିଟ୍ ଥିବା ଦିଲ୍ଲୀରେ ୨୦୧୫ରେ ଆପ୍ ୬୭ଟି ସିଟ୍ ଜିତିଥିବା ବେଳେ ୨୦୨୦ରେ ୬୨ଟି ସିଟରେ ବିଜୟୀ ହୋଇଥିଲା । ପୂରା ଦିଲ୍ଲୀରେ ଆପର ସୁଦୃଢ ସଂଗଠନ ରହିଛି । ୨୦୨୦ରେ ୫୩.୫୭ପ୍ରତିଶତ ଭୋଟ୍ ସେୟାର ସହ ଜିତିଥିଲା ଆପ୍ । ଦିଲ୍ଲୀରେ ଆପର ବିଭିନ୍ନ ଫ୍ଲାଗସିପ୍ ଯୋଜନା ଲୋକପ୍ରିୟ ହୋଇଛି । ମାଗଣା ବିଜୁଳି ଓ ପିଇବା ପାଣି ହେଉ କି ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ, ମୋହଲ୍ଲା କ୍ଲିନିକ, ସାରା ଦେଶରେ ଆପର ଦିଲ୍ଲୀ ମଡେଲକୁ ନେଇ ଚର୍ଚ୍ଚା ହୋଇଛି । ବିରୋଧୀ ଏସବୁ ଜନକଲ୍ୟାଣକାରୀ ଯୋଜନାକୁ ସମାଲୋଚନା କରିଛନ୍ତି । ହେଲେ ବିଜେପି ହେଉ କି କଂଗ୍ରେସ, କ୍ଷମତାକୁ ଆସିଲେ ଏସବୁ ଯୋଜନା ଜାରି ରଖିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଅର୍ଥାତ କେଉଁଠି ନା କେଉଁଠି ଆପ୍ ମଡେଲରେ ମୋହର ଲଗାଇଛନ୍ତି ବିରୋଧୀ ।
ମାସକୁ ସଞ୍ଚୟ ୨୪୬୪
ଆପ ସରକାରରେ ଦିଲ୍ଲୀବାସୀ ମାସକୁ ୨୪୬୪ଟଙ୍କା ସଞ୍ଚୟ କରୁଥିବା ଦଳ ଦାବି କରୁଛି । ଆପ୍ ନେତ୍ରୀ ଜସ୍ମିନ ଶାହାଙ୍କ ଦ୍ବାରା ଲିଖିତ ଦି ଦିଲ୍ଲୀ ମଡେଲ ବହିରେ ଏନେଇ ଦର୍ଶାଯାଇଛି। ଦିଲ୍ଲୀରେ କରାଯାଇଥିବା ସର୍ଭେରେ ୭୦ପ୍ରତିଶତ ଲୋକ ମାଗଣା ବିଜୁଳି, ପାଣି ଭଳି ଆପ ସରକାରର ବିଭିନ୍ନ ଯୋଜନା ଦ୍ବାରା ଏହି ଅର୍ଥ ବଞ୍ଚାଉଥିବା ବହିରେ ଲେଖାଯାଇଛି । ୪୦ଲକ୍ଷରୁ ଅଧିକ ପରିବାର ମାଗଣା ବିଜୁଳି, ପାଣି ଦ୍ବାରା ପ୍ରତିମାସ ଲାଭବାନ ହେଉଛନ୍ତି । ନୂଆ ରାସ୍ତା, ଫ୍ଲାଏଓଭର ନିର୍ମାଣ ସାଙ୍ଗକୁ ମହିଳାଙ୍କ ପାଇଁ ଫ୍ରି ବସସେବା ଦ୍ବାରା ଲୋକ ଉପକୃତ ହୋଇଛନ୍ତି ।
କେଜ୍ରିଓ୍ବାଲ ବନାମ କିଏ?
ଦିଲ୍ଲୀରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦଳର ସିଏମ୍ ଚେହେରା ହୋଇଥିବା ବେଳେ ବିଜେପି କିମ୍ବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ପ୍ରଦର୍ଶିତ କରାଯାଇନି। ଏହାକୁ ନିର୍ବାଚନ ପ୍ରଚାରରେ ବି ଜୋରଦାର ଦେଖାଉଛି ଆପ୍ । କେଜ୍ରିଓ୍ବାଲ ବନାମ କିଏ, ନେଇ ଦଳ ପକ୍ଷରୁ ପୋଷ୍ଟର ଲଗାଯାଉଛି । ସାରା ଦେଶରେ ଆମ ଆଦମୀ ପାର୍ଟି ଅଳ୍ପ ସମୟରେ ସବୁଠୁ ଅଧିକ ଲୋକପ୍ରିୟ ଦଳ ପାଲଟିଛି । ୨୦୨୨ରେ ପଞ୍ଜାବ ନିର୍ବାଚନ ଜିତିଥିବା ଆପର ଦେଶର ବିଭିନ୍ନ ରାଜ୍ୟରେ ଉପସ୍ଥିତି ରହିଛି । ୨୦୨୨ରେ ଦଳକୁ ଜାତୀୟ ଦଳର ମାନ୍ୟତା ମିଳିଥିଲା । ରେଓ୍ବଡି ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରତି ପରିବାର ପାଖରେ ସିଧାସଳଖ ପହଞ୍ଚୁଛି ଆପ୍ ।
ଆପ୍ ପାଇଁ ଅଗ୍ନିପରୀକ୍ଷା
ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ ପାଇଁ ଏଥର ସବୁଠୁ ବଡ଼ ଚ୍ୟାଲେଞ୍ଜ ଶାସନ ବିରୋଧୀ ଲହର । ଲଗାତର ଦୁଇ ଦୁଇ ଥର କ୍ଷମତାରେ ରହିବା ପରେ ଭୋଟର ପରିବର୍ତ୍ତନ ଚାହିଁପାରନ୍ତି । ଗତ ଦୁଇ ବର୍ଷ ଧରି ଦୁର୍ନୀତି ଅଭିଯୋଗରେ ଆପର ଶୀର୍ଷ ନେତୃତ୍ବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଥିଲେ । ଦିଲ୍ଲୀ ମଦ ନୀତିକୁ ନେଇ ଜେଲ୍ ଯାଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆଙ୍କ ଭଳି ବଡ ନେତା । ଏହାପରେ ଆପର ଦୁର୍ନୀତିବିରୋଧୀ ଓ ସ୍ବଚ୍ଛ ଚେହେରାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ବିରୋଧୀ ଜୋରସୋରରେ ଉଠାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡି ବଡ଼ ଗୁଗଲି ମାରିଥିଲେ କେଜ୍ରିଓ୍ବାଲ ।
ଦିଲ୍ଲୀରେ ୩୦ପ୍ରତିଶତରୁ ଅଧିକ ଭୋଟ୍ ସେୟାର ଆଣୁଥିବା ବିଜେପି ୧୯୯୮ରୁ ଜିତିପାରିନାହିଁ । ୨୭ବର୍ଷ ପରେ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ମଦ ନୀତି ହେଉ କି ଆଲିସାନ୍ ସିଏମ୍ ଆବାସ, ଦୁର୍ନୀତିକୁ ଅସ୍ତ୍ର କରି ପରିବର୍ତ୍ତନର ନାରା ଲଗାଉଛି ଦଳ । ଆପକୁ ଆପଦା କହି ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ବିଜେପି ପକ୍ଷରୁ କଡା ଟକ୍କରର ସାମନା କରୁଥିବା ଆମ ଆଦମୀ ପାର୍ଟି ମାରିପାରିବ କି କ୍ଷମତାର ହ୍ୟାଟ୍ରିକ, ତାର ଉତ୍ତର ଫେବ୍ରୁଆରୀ ୮ତାରିଖରେ ମିଳିବ ।