Latest Odisha News

BREAKING NEWS

ଓଡିଶାରେ ବନ୍ଦ ହେବ କି ମଦ କାରବାର ?

ଭୁବନେଶ୍ବର: ଓଡିଶାରେ ମଦ କାରବାର ବନ୍ଦ ହେବ କି ? ଓଡିଶା ଭାରତର ଆଉ ଏକ ଡ୍ରାଏ ଷ୍ଟେଟ୍ ହେବ କି ? ରାଜ୍ୟରେ ମଦ ନିଷିଦ୍ଧ କରିବାକୁ ଯୋଜନା ହେଉଛି ବୋଲି କିଛି ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିବା ନେଇ ଖବର ଆସିଥିଲା। ଏ ବର୍ଷ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ମଦ କାରବାର ନିଷିଦ୍ଧ ହୋଇପାରେ ବୋଲି ଖବର ପ୍ରଚାରିତ ହୋଇଥିଲା। ଏଯାଏଁ ଦେଶର ଗୁଜରାଟ, ବିହାର, ମିଜୋରାମ, ନାଗାଲାଣ୍ଡ ଓ କେନ୍ଦ୍ର ଶାସିତ ଅଂଚଳ ଲାକ୍ଷାଦ୍ୱୀପରେ ହିଁ ମଦ ନିଷିଦ୍ଧ ହୋଇଛି । ଆଉ କୌଣସି ରାଜ୍ୟ ସରକାର ମଦ ବ୍ୟାନ କରିନାହାନ୍ତି ।

ପ୍ରକୃତରେ ଦେଖିବାକୁ ଗଲେ ମଦ ବ୍ୟବସାୟରୁ ମିଳେ ମୋଟା ଅଙ୍କର ରାଜସ୍ୱ । ମଦ ବନ୍ଦ ହେଲେ ବିପୁଳ ରାଜସ୍ୱ ହାନି ହେବ । ଏ ଦୃଷ୍ଟିରୁ ରାଜ୍ୟ ସରକାର ମଦ ବ୍ୟାନ କରିବେ କି ? ଉପଲବ୍ଧ ଅନୁସାରେ ୨୦୨୪-୨୫ ବର୍ଷର ପ୍ରଥମାର୍ଦ୍ଧରେ ମଦ ବିକ୍ରିରୁ ୧୦ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଆସିଥିଲା । ୨୦୨୩ -୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର କୋଟି ୬୫୫ କୋଟି ଟଙ୍କା ରାଜସ୍ୱ ମଦ ବିକ୍ରିରୁ ମିଳିଥିଲା । ମଦରୁ ବିପୁଳ ରାଜସ୍ୱ ମିଳୁଥିବାରୁ କୌଣସି ରାଜ୍ୟ ସରକାରଙ୍କ ପାଇଁ ମଦ ନିଷିଦ୍ଧ କରିବା ନିହାତି ଏକ ସାହସିକ ପଦକ୍ଷେପ ହେବ ।
ମଦ ନିଷିଦ୍ଧ କରାଗଲେ ଚୋରାରେ ମଦ ବିକ୍ରି ହେବ ଓ ବିଷାକ୍ତ ମଦ ମୃତ୍ୟୁର କାରଣ ହେବ ବୋଲି ସକ୍ରିୟ ମଦ ଲବି ଯୁକ୍ତି ଦର୍ଶାଉଛନ୍ତି । କିନ୍ତୁ ଏଭଳି ଯୁକ୍ତିରେ କେବଳ ଆଂଶିକ ସତ୍ୟତା ରହିଛି ବୋଲି କୁହାଯାଇପାରେ । ତାମିଲନାଡୁ ସରକାର ତ ମଦ ନିଷିଦ୍ଧ କରିନାହାନ୍ତି । କିନ୍ତୁ ନିକଟରେ ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ତେଣୁ କେବଳ ମଦ ନିଷିଦ୍ଧ ରାଜ୍ୟରେ ହିଁ ବିଷାକ୍ତ ମଦ ମୃତ୍ୟୁ ଆଶଙ୍କା ଅଧିକ ରହିବ ବୋଲି ଯୁକ୍ତି ଅମୂଳକ ମନେ ହୁଏ । ବିହାରରେ ମଦ ନିଷିଦ୍ଧ ଯୋଗୁଁ ସମାଜରେ ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ପଡିଛି । ବିହାରରେ ମଦ୍ୟପାନଜନିତ ଘରୋଇ ହିଂସା ଯଥେଷ୍ଟ ହ୍ରାସ ପାଇଛି ଓ ଲୋକଙ୍କ ମଧ୍ୟରେ ମେଦବହୁଳତା ଭଳି ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ ପାଇଛି ବୋଲି ଅଗ୍ରଣୀ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ ପ୍ରକାଶ କରିଛି ।

ଭାରତରେ ମଦ୍ୟପାନଜନିତ ସ୍ଥିତି ଅତି ସଙ୍ଗୀନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ -ଡବ୍ଲୁଏଚଓର ଏକ ରିପୋର୍ଟ ଅନୁସାରେ ଭାରତରେ ମଦ୍ୟପାନ ଜନିତ ମୃତ୍ୟୁ ଚୀନଠାରୁ ଦୁଇ ଗୁଣ ଅଧିକ । ଆମଦେଶରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରେ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା ୩୮ ଦଶମିକ ୫ ପ୍ରତିଶତ । ଚୀନରେ ଏହି ସଂଖ୍ୟା ହେଉଛି ୧୬ ଦଶମିକ ୧ ପ୍ରତିଶତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ଆଲକୋହଲ ଆଣ୍ଡ୍ ହେଲ୍‌ଥ ଆଣ୍ଡ୍ ଟ୍ରିଟମେଂଟ୍ ଅଫ୍ ସବଷ୍ଟାନସ୍ ଡିଜଅର୍ଡର’ ସମ୍ପର୍କିତ ଗ୍ଲୋବାଲ ଷ୍ଟାଟସ୍ ରିପୋର୍ଟରେ ଏହି ଉଦବେଗଜନକ ତଥ୍ୟ ରହିଛି । ରିପୋର୍ଟରେ କୁହାଯାଇଛି ଯେ, ମଦ ପ୍ରତିବର୍ଷ ୨୬ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ । ସାରାଦୁନିଆରେ ପ୍ରାୟ ୪୦ କୋଟି ଲୋକ ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ କାରଣରୁ ବିଭିନ୍ନ ରୋଗରେ ପୀଡିତ । ବିଶ୍ୱରେ ମଦ୍ୟପାନ ଜନିତ ରୋଗରେ ମୃତ୍ୟୁମୁଖରେ ପଡୁଥିବା ଲୋକଙ୍କ ସଂଖ୍ୟା ହେଉଛି ୪ ଦଶମିକ ୭ ପ୍ରତିଶତ । ରିପୋର୍ଟ ଅନୁସାରେ ଭାରତରେ ୧୫ ବା ଅଧିକ ବର୍ଷ ବୟସର ୩୧ ଦଶମିକ ୨ ପ୍ରତିଶତ ଲୋକ ମଦ ପିଅନ୍ତି । ଏଥିରୁ ୩ ଦଶମିକ ୮ ପ୍ରତିଶତ ସଂପୂର୍ଣ୍ଣ ଭାବେ ମଦ ଦ୍ୱାରା କବଳିତ । ୧୫ ବା ଅଧିକ ବର୍ଷ ବୟସର ୧୨ ଦଶମିକ ୩ ପ୍ରତିଶତ ଲୋକ କେବେ କେମିତି ମଦ ପିଅନ୍ତି ।

Leave A Reply

Your email address will not be published.