Latest Odisha News

‘ଗୋଟିଏ ପରିବାରରୁ ଗୋଟିଏ ଟିକେଟ’: ଓଡ଼ିଶାରେ ପ୍ରଯୁଜ୍ୟ ହୋଇପାରିବ ?

ଭୁବନେଶ୍ୱର: କଂଗ୍ରେସର ପରିବାରବାଦ ବିରୋଧରେ ନାରା ଦେଇ ବିଜେପି ଗୋଟିଏ ବଡ ସଫଳତା ପାଇଛି । ଏପରି କରି କଂଗ୍ରେସର ରାଜନୀତିକ ଢାଞ୍ଚାକୁ ପ୍ରହାର କରିଛି ବିଜେପି। ଯାହାକୁ ଲୋକେ ମଧ୍ୟ ଗ୍ରହଣ କରିଛନ୍ତି। ଏବେ କିନ୍ତୁ ଏହି ଅପବାଦରୁ ଦୂରେଇ ରହିବାକୁ ଯାଇ କଂଗ୍ରେସ ଗୋଟିଏ ପରିବାରରୁ ଗୋଟିଏ ଟିକେଟ କଥା ଚିନ୍ତା କରୁଛି। ଦ୍ୱିତୀୟ ଟିକେଟ ସେତେବେଳେ ମିଳିବ ଯଦି ସଂପୃକ୍ତ ବ୍ୟକ୍ତି ଦଳ ପାଇଁ ଅନୂନ୍ୟ ୫ ବର୍ଷ ଉଲ୍ଲେଖନୀୟ କାମ କରିଥିବେ ।

ରାଜସ୍ଥାନ ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ଯୋଗ ଦେଇ ଫେରିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା। ସେହିପରି ପ୍ରିୟଙ୍କା ଆସନ୍ତା ମାସରେ ଆସିପାରନ୍ତି ବୋଲି ନିରଞ୍ଜନ କହିଛନ୍ତି । ଅକ୍ଟୋବରେ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେବାକୁ ଥିବା ଭାରତ ଯୋଡ ଯାତ୍ରୀ ବାବଦରେ ମଧ୍ୟ ନିରଞ୍ଜନ କହିଥିଲେ।

ତେବେ ଉଦୟପୁରରେ ଗୋଟିଏ ପରିବାର ଗୋଟିଏ ଟିକେଟ ନେଇ ଯେଉଁ ଆଲୋଚନା ହୋଇଛି ତାହା ଓଡ଼ିଶା କଂଗ୍ରେସରେ କେତେ ପ୍ରଯୁଜ୍ୟ ହୋଇପାରିବ ସେ ନେଇ ଏବେ ଆରମ୍ଭ ହୋଇଛି ବିତର୍କ । କାରଣ ଓଡିଶାରେ ଅଧିକାଂଶ କଂଗ୍ରେସ ନେତାଙ୍କ ପୁଅ କିମ୍ବା ସ୍ତ୍ରୀ ରାଜନୀତିରେ ସକ୍ରିୟ ରହିଛନ୍ତି। ଯାହାର ସଦ୍ୟ ଉଦାହରଣ ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ୨୦୧୯ ସାଧାରଣ ନିର୍ବାଚନରେ ନିରଞ୍ଜନ ଦୁଇଟି ଆସନରେ ଏକାକୀ ନିର୍ବାଚନ ଲଢ଼ିଥିବା ବେଳେ ତାଙ୍କ ପୁଅ ନବଜ୍ୟୋତ ପଟ୍ଟନାୟକ ବାଲେଶ୍ୱରରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ।

ସେହିପରି ବିଧାୟକ ଦଳର ନେତା ପଦରୁ ଇସ୍ତଫା ଦେଇଥିବା ନରସିଂହ ମିଶ୍ର ନିଜେ ୨୦୧୯ରେ ବଲାଙ୍ଗୀର ବିଧାନସବା ଆସନରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ ବଲାଙ୍ଗୀର ସାଂସଦ ଆସନରୁ ପ୍ରାର୍ଥୀ ହୋଇଥିଲେ ।

ଏହାବାଦ ବିହାର କଂଗ୍ରେସର ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ କଳାହାଣ୍ଡି ଲୋକସଭା ଆସନରୁ ଲଢିଥିବା ବେଳେ ତାଙ୍କ ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ।

ସେହିପରି ଜଟଣୀ ବିଧାୟକ ସୁରେଶ ରାଉତରାୟ ୨୦୧୯ରେ ଶେଷ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ ବୋଲି କହିଥିଲେ। ଆଉ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ଏବେ ତାଙ୍କ ପୁଅ କଂଗ୍ରେସରେ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ବଢିଛି । ଏ ନେଇ ନିଜେ ସୁର ରାଉତରାୟ ବିଭିନ୍ନ ସମୟରେ ବୟାନ ଦେଇସାରିଛନ୍ତି । ନିକଟରେ ତାଙ୍କ ପୁଅ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ହେଲେ ପୁଅ କେଉଁ ଦଳରେ ରହି ନିର୍ବାଚନ ଲଢିବ ତାହା ତାଙ୍କର ନିଷ୍ପତ୍ତି ବୋଲି ‘ସନ୍ଦୀପଙ୍କ ସହ ଜବାବ ସୁଆଲ’ ସାକ୍ଷାତକାରରେ ଜଟଣି ବିଧାୟକ କହିଥିଲେ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, କଂଗ୍ରେସ ଯଦି ଏହି ନୀତିକୁ ତୃଣମୂଳସ୍ତରରେ ଲାଗୁ କରିବ, ତେବେ ଏହା ନିଶ୍ଚିତ ଭାବେ ଦଳର ଅନ୍ତର୍ଦ୍ୱନ୍ଦ୍ୱ ଦୂର କରିବାରେ ସହାୟକ ହେବ। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଲାଗୁଛି। ପ୍ରାୟ ସମସ୍ତ ବରିଷ୍ଠ ନେତା ବଂଶବାଦ ରାଜନୀତିରେ ବୁଡି ରହିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଏପରି ସ୍ଥିତିରେ ଅଛି ଯେ ସମସ୍ତ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରେ ନାହିଁ । ବାମପନ୍ଥୀ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ମେଣ୍ଟ କରି କଂଗ୍ରେସ ସାଧାରଣ ନିର୍ବାଚନ ଲଢ଼େ । ଏପରି ସ୍ଥିତିରେ ଯଦି କଂଗ୍ରେସରେ ନେତା ଅଭାବ ଥିଲାବେଳେ ଏହି ଗୋଟିଏ ପରିବାରରୁ ଗୋଟିଏ ଟିକେଟ ନୀତି ଲାଗୁ ହୁଏ ତାହେଲେ ଦଳ ପାଇଁ ନିର୍ବାଚନ ଲଢିବା କଷ୍ଟକର ହୋଇଯିବ।

Leave A Reply

Your email address will not be published.