Latest Odisha News

BREAKING NEWS

ସାବଧାନ! ଭଜା ବୁଟରେ ମିଳିଛି କ୍ୟାନ୍‌ସର ତତ୍ତ୍ୱ, ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ..

ନୂଆଦିଲ୍ଲୀ: ଭଜା ବୁଟରେ ମିଳିଛି କ୍ୟାନସର ତତ୍ତ୍ୱ। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଭାରତରେ ଖାଦ୍ୟ ବିଷାକ୍ତକରଣ ଏବେ ସାଧାରଣ ହେଲାଣି। ପନିପରିବାଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁଥିରେ ରୋଗ ସୃଷ୍ଟିକାରୀ କାରକ ଜନସ୍ୱାସ୍ଥ୍ୟ ପ୍ରତି ବିପଦକୁ ଡାକି ଆଣୁଛି। ବଜାରରେ ସହଜରେ ଉପଲବ୍ଧ ଭଜା ବୁଟରେ କ୍ୟାନ୍‌ସର କାରକ ଥିବା କେମିକାଲ ମିଶାଯାଉଥିବା ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକି ଚିନ୍ତାର ବିଷୟ ପାଲଟିଛି।

ଦୈନନ୍ଦିନ ଜୀବନରେ ଆମ ଦେଶରେ କୋଟି କୋଟି ଲୋକ ମାର୍କେଟରେ ମିଳୁଥିବା ଭଜା ବୁଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବି ଖାଇଥାନ୍ତି। ନିକଟରେ ଜଣେ ଯୁବକ ଏକ ଭିଡିଓ କରି ମାର୍କେଟରେ ମିଳୁଥିବା ଖୋଲା ଭଜା ବୁଟର ପ୍ରସ୍ତୁତିକୁ ଦେଖାଇଛନ୍ତି। ସେ ବିନା ଅପମିଶ୍ରଣରେ ହୋଇଥିବା ବୁଟ ଭଜା ଏବଂ ହାନିକାରକ କ୍ୟାମିକାଲ ମିଶାଯାଇଥିବା ବୁଟକୁ ଦେଖାଇଥିଲେ। ମାର୍କେଟରେ ବୁଟକୁ ସାମାନ୍ୟ ହଳଦିଆ ଦେଖାଇବା ଲାଗି ସେଥିରେ ଅରାମାଇନ୍‌ ନାମକ କେମିକାଲ ମିଶାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ଚିନ୍ତା ପ୍ରକଟ କରାଯାଇଛି।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି କରିଛି। ଏହି ଘଟଣାରେ ଶିବସେନା(ଉଦ୍ଧବ ଗୋଷ୍ଠୀ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି, ବେଆଇନ ଭାବେ ଭଜା ଚଣା ଏବଂ ଅନ୍ୟ ଖାଦ୍ୟପାନୀୟ ପ୍ରସ୍ତୁତିରେ ଅରାମାଇନ ଭଳି ହାନିକାରକ ରସାୟନିକ ପଦାର୍ଥ ମିଶାଇବା ଦ୍ୱାରା କର୍କଟ ଭଳି ରୋଗ ହୋଇପାରେ। ଅରାମାଇନକୁ କପଡ଼ା, ଚମଡ଼ା ରଙ୍ଗ କରିବାରେ ବ୍ୟବହାର କରାଯାଏ। କିନ୍ତୁ କିଛି ଲୋକ ତାହାକୁ ଖାଦ୍ୟ ପଦାର୍ଥରେ ମିଶାଉଛନ୍ତି। ଏଥିଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ବିପଦରେ ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଅରାମାଇନକୁ ବିପଜ୍ଜନକ ପଦାର୍ଥ ମାନିଛି। ତେଣୁ ଏ ଦିଗରେ କେନ୍ଦ୍ର ସରକାର ତ୍ୱରିତ ଭିତ୍ତିରେ କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ପ୍ରିୟଙ୍କା ଅପିଲ କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ସୂଚନା ଥାଉକି ଭାଇରାଲ ଭିଡିଓରେ ଭଜା ବୁଟରେ କିପରି କେମିକାଲ ମିଶାଇ ହଳଦୀର ରଙ୍ଗ କରାଯାଉଛି ତାହା ଦେଖାଯାଉଛି। ବୁଟ ଭଜା ଯିବା ପରେ ସେଥିରେ ଅରାମାଇନ୍‌ ଗୁଣ୍ଡକୁ ପାଣିରେ ମିଶାଇ ହଳଦୀ ପାଣି ପରି ବୁଟରେ ଢଳା ଯାଉଛି । ଏହା ଦ୍ୱାରା ବୁଟ ବା ଚଣା ସତେଜ ଦେଖାଯାଉଛି । କିନ୍ତୁ ବିନା କେମିକାଲରେ ଭଜା ଯାଇଥିବା ବୁଟ ତାହାଠାରୁ ଭିନ୍ନ ଦେଖାଯାଉଥିବା ଯୁବକ ଜଣକ ଭିଡିଓରେ ଦେଖାଇଛନ୍ତି । କେମିକାଲ ମିଶ୍ରିତ ବୁଟ ଦୀର୍ଘ ଦିନ ଖାଇବା ଦ୍ୱାରା କ୍ୟାନ୍‌ସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ଏଥିରେ ସେ ଚେତାଇଛନ୍ତି ।

Comments are closed.