Latest Odisha News

BREAKING NEWS

ରଙ୍ଗୀନ ବେଲୁନରେ ଦିଶିଯାଏ ରୁଟିର ଚିତ୍ର, ବାପା-ମା’ଙ୍କ ଉଦାସ ମୁହଁ

ମାଲକାନଗିରି: ବାବୁ, ବେଲୁନ ନିଅ… ମାତ୍ର ୨୦ ଟଙ୍କା । ଗୋଟିଏ ହେଲେ ବେଲୁନ ନେଇ ଯାଅ ବାବୁ.. ବେଲୁନ ନ ନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ ନିଅ… ଏମିତି ଅନୁନୟ ହୋଇ ଡାକୁଥିଲା  ୨୧ ବର୍ଷର ଯୁବକ  ।

ଆଖି ଆଗରେ ଚିଟାଉ ଧରି ଛିଡ଼ା ହୋଇଛି ମୃତ୍ୟୁ । ପ୍ରତିଦିନ, ପ୍ରତି ମୁହୂ୍ର୍ତ୍ତରେ ତାକୁ ସାମ୍ନା କରୁଛନ୍ତି । ହେଲେ ସେ ମୃତ୍ୟୁକୁ  ଡରି ଯାଇ ନାହାନ୍ତି । ବରଂ  ଜୀବନ ପାଇଁ ଲଢୁଛନ୍ତି ଏହି ଭଣ୍ଡିଆ ଯୁବକ ।  ଭୋକ ପାଇଁ ଭିକାରୀ ନ ସାଜି   ଯାତ୍ରାରେ ବିକୁଛନ୍ତି ବେଲୁନ  ।

୨୦ ଟଙ୍କାରେ ଏ ରଙ୍ଗୀନ  ବେଲୁନ ନେଇ କିଏ ହୁଏତ କିଏ ଘର ପାଇଁ ଖୁସି କିଣିପାରେ । ହେଲେ ଏଇ ୨୦ ଟଙ୍କା ଯୁବକଙ୍କ ପରିବାରରେ ହସ ଫୁଟାଇପାରେ ।  ଯୁବକ ପୁଅ ପାଇଁ ଏ ରଙ୍ଗୀନ ବେଲୁନ ରୋଜିରୁଟି । ବେଲୁନ ନବିକିଲେ ପେଟ ପୂରିବନି, ପରିବାର ଚଳିବନି । ସେଇଥିପାଇଁ ତ ପେଟ ପାଇଁ ପବନ ଭର୍ତ୍ତି ବେଲୁନ ବିକୁଛି ଆଉ ଅତି ଯତ୍ନର ସହ ବେଲୁନ ଗୁଚ୍ଛାକୁ ତା ହାତ ମୁଠାରେ ରେ ଜାବୁଡି ଧରିଛି । କାରଣ ସେ ଜାଣିଛି, ଯଦି ଗୋଟେ ବି ବେଲୁନ ଫାଟି ଯିବ ତେବେ ତା ପରିବାର ଲୋକଙ୍କ ପେଟ ଶୁଖିଯିବ  ।

ମାଲକାନଗିରି ସଦର ସ୍ଥିତ ଏକ ନାମଯଜ୍ଞ ପଡ଼ିଆରେ ବେଲୁନ ବିକୁଛନ୍ତି ଏଇ ଯୁବକ । ନଁ ତାଙ୍କର ବିଭାସ ଦାସ । ବୟସ 21 ବର୍ଷ । ଘର ମାଲକାନଗିରି ଏମଭି 79 ଠାରେ ।  ନାଁ ସିନା ବିଭାସ, ହେଲେ ତାଙ୍କର ଜୀବନରେ ଖାଲି ଦୁଃଖ ଆଉ ଅଭାବ । ସେତିକିରେ ଭାଗ୍ୟ ତାଙ୍କୁ ଛାଡ଼ି ନ ଥିଲେ । ଦେଇଗଲା ଦୁଃସାଧ୍ୟ ରୋଗ ।  ରକ୍ତ କର୍କଟ ରୋଗରେ ସେ ଆକ୍ରାନ୍ତ ।

ପାଖରେ ପଇସା ନଥିବାରୁ ପୁଅକୁ ପାଠ ପଢାଇ ନାହାନ୍ତି ବାପାମାଆ । ପେଟ ପାଇଁ ତ ପଇସା ନାହିଁ ପାଠ ପାଇଁ ଆସିବ କେଉଁଠୁ? ତେଣୁ ବାଧ୍ୟ ହୋଇ ଖଡି, କଲମ ଧରା ହାତରେ ବିଭାସ ଧରିଛି ମନଛୁଆଁ ବେଲୁନ ।  ମୁଣ୍ଡ ଉପରେ ଭଳି କି ଭଲି ରଙ୍ଗ ବେରଙ୍ଗର ବେଲୁନ ତାଙ୍କ ପାଇଁ ଫିକା ପଡି ଯାଇଛି । ଏଇ ବେଲୁନରେ ସେ ଦେଖେ ରୁଟି, ସେ ଦେଖେ ବୃଦ୍ଧ ବାପା-ମାକ୍’ଙ୍କ ଉଦାସୀ ମୁହଁ ।  ତଥାପି ଛିଡି ଯାଇଥିବା ପରର ଜୋତା, ଗଳି ପଡୁଥିବା ପ୍ୟାଣ୍ଟ , ମଇଳା ପୋଷାକ ପିନ୍ଧି ବିଭାସ୍ ବେଲୁନ ବିକି ଘଡିଏ ବଞ୍ଚିଯିବାର ସ୍ୱପ୍ନ ଦେଖୁଛି । ପାଖରେ ପଇସା ନ ଥିବାରୁ ଚିକିତ୍ସା କଥା ଭୁଲି ଯାଇଛି ସେ  । ଅନ୍ୟପକ୍ଷେ  ଘରର ସବୁ ଦାୟିତ୍ଵ ମୁଣ୍ଡକୁ ନେଇଛି ବିଭାସ।

Leave A Reply

Your email address will not be published.