Latest Odisha News

ଆରମ୍ଭ ହେଲା କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା: ଓଡ଼ିଶା ଆସୁଛନ୍ତି ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ଶେଷ ସୁଦ୍ଧା ଓଡ଼ିଶା ବିଧାନସଭାର ସମସ୍ତ ଆସନ ଗୁଡ଼ିକର ପ୍ରାର୍ଥୀ ଚୟନ କାର୍ଯ୍ୟ ସମାପ୍ତ କରିବାକୁ ଓଡ଼ିଶା ପ୍ରଦେଶ କମିଟିରେ ତତ୍ପରତା ପ୍ରକାଶ ପାଇଛି ।

ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତାକାଲି ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି ଡ଼ି ସତିଶନ୍ ଏବଂ କମିଟିର ସଦସ୍ୟ ନୌସଦ ସୋଲାଙ୍କି ଏକ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବୁଧବାରଦିନ ଭୁବନେଶ୍ୱର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଓପିସିସି ସୂତ୍ରରୁ ସୂଚନା ମିଳିଛି, ଏହି ଦୁଇ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତାଙ୍କର ଏହି ଗସ୍ତ ସମୟରେ ପ୍ରାର୍ଥୀ ଚୟନ ପୂର୍ବରୁ କଟକ, ଭୁବନେଶ୍ୱର, ପୁରୀ ଓ ଜଗତସିଂହପୁର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ନେତାମାନଙ୍କ ସହିତ ଏକ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିବେ ।

ଏହାପରେ ଏହି ୨ଜଣ ସ୍କ୍ରିନିଂ କମିଟି ସଦସ୍ୟ କୋରାପୁଟ ଓ ଜୟପୁର ଗସ୍ତ କରିବା ସହିତ ଏହି ଦୁଇ ଜିଲ୍ଲାର ସମସ୍ତ ନେତା ଏବଂ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ନେତା, ପିସିସି ସଦସ୍ୟ ଏବଂ ଜିଲ୍ଲା ସଭାପତିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ, ଦକ୍ଷିଣ ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ନେତା ମାନଙ୍କ ସହିତ ବ୍ରହ୍ମପୁର ଓ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରିବେ ।

ଏହିସବୁ ଜିଲ୍ଲା ସ୍ତରୀୟ ନେତାମାନଙ୍କ ସହିତ ଆଲୋଚନା ସମାପ୍ତ କରିବା ପରେ ଏହି ଦୁଇ ସଦସ୍ୟ ଫେବୃଆରୀ ୧୫ ତାରିଖ ଦିନ ଓପିସିସି ସଦସ୍ୟମାନଙ୍କ ସହିତ ବୈଠକରେ ଆଲୋଚନା କରି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.