Latest Odisha News

BREAKING NEWS

ମୁଁ ଭାରତ କେବେ ଫେରିବି କହିହେବ ନାହିଁ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଅର୍ଥନୈତିକ ଅପରାଧୀ ଆଇନ ୨୦୧୮ (FEO ଆଇନ)ର ବୈଧତାକୁ ଚ୍ୟାଲେଞ୍ଜ କରି ବୁଧବାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ ସେ ୟୁନାଇଟେଡ୍ କିଙ୍ଗଡମ୍ ରୁ କେବେ ଭାରତ ଫେରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ ନାହିଁ।

ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର ଏବଂ ବିଚାରପତି ଗୌତମ ଆଙ୍ଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁନର୍ବାର କହିଛନ୍ତି, ଯଦି ମାଲ୍ୟା ଚାହାଁନ୍ତି କୋର୍ଟ ତାଙ୍କ ଆବେଦନ ଉପରେ ବିଚାର କରନ୍ତୁ ତାହେଲେ ସେ ଭାରତ ଫେରିବା ଉଚିତ। ଯାହାପରେ  ମାଲ୍ୟା କହିଥିଲେ ଯେ ତାଙ୍କ ପାଖରେ କୌଣସି ଭାରତୀୟ ପାସପୋର୍ଟ ନାହିଁ ଓ ତାଙ୍କ ପାସପୋର୍ଟକୁ ଭାରତ ସରକାର ୨୦୧୬ରେ ରଦ୍ଦ କରିଦେଇଥିଲେ। ଏଥିସହିତ ସେ ଦେଶ ଛାଡ଼ିପାରିବେ ନାହିଁ ବୋଲି ଏକ ବ୍ରିଟିଶ୍ କୋର୍ଟ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ମାଲ୍ୟାଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ କହିଛନ୍ତି ଯେ ତାଙ୍କୁ ଇଂଲଣ୍ଡ ଏବଂ ୱେଲ୍ସ ଛାଡିବାକୁ କିମ୍ବା କୌଣସି ଆନ୍ତର୍ଜାତୀୟ ଯାତ୍ରା ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବାକୁ କିମ୍ବା ରଖିବା ପାଇଁ ଅନୁମତି ନାହିଁ ବୋଲି କୁହାଯାଇଛି। ମାଲ୍ୟାଙ୍କ ଆବେଦନର ଶୁଣାଣି କରିବା ପାଇଁ ଦେଶରେ ତାଙ୍କର ଉପସ୍ଥିତି ଜରୁରୀ ନୁହେଁ ବୋଲି ସେ କହିଛନ୍ତି।

ତେବେ ତାଙ୍କୁ ପଳାତକ ଘୋଷଣା କରିବା ପାଇଁ ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶକୁ ମାଲ୍ୟା ଚ୍ୟାଲେଞ୍ଜ କରି ଏକ ଆବେଦନ ମଧ୍ୟ ଦାୟର କରିଥିଲେ। ଦେଶାଇ କହିଥିଲେ ଯେ ଯଦି ମାଲ୍ୟା ଭାରତରେ ହାଜର ହୁଅନ୍ତି, ତେବେ ଏହି ସମସ୍ତ କାର୍ଯ୍ୟପନ୍ଥା ଅର୍ଥହୀନ ହୋଇଯିବ। କାରଣ ଆଇନର ଧାରା ଅନୁଯାୟୀ ଯଦି ସେ ଦେଶରେ ହାଜର ହୁଅନ୍ତି ତେବେ ଏହି ସମସ୍ତ ଆଦେଶ ବାତିଲ ହୋଇଯିବ।

ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ଏହି ବିବୃତ୍ତିର ଉତ୍ତର ଦେବାକୁ କହିଥିଲେ ଏବଂ ମାମଲାକୁ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶୁଣାଣି କରାଯିବ ବୋଲି କହିଥିଲେ।

Leave A Reply

Your email address will not be published.