ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ପଞ୍ଜାବ ଲୋକ କଂଗ୍ରେସ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଜି ଏହି ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ ମୁଖ୍ୟ କ୍ୟାପଟେନ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।
ପଟିଆଲା ଅର୍ବାନ ଆସନରୁ ନିଜେ କ୍ୟାପଟେନ ସିଂହ ନିର୍ବାଚନୀ ଲଢିବେ । ସେହିପରି ପ୍ରଥମ ପର୍ଯ୍ୟାୟ ତାଲିକାରେ ଜଣେ ମହିଳା ମଧ୍ୟ ଅଛନ୍ତି । ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ୨ ଜଣ ମାଝା କ୍ଷେତ୍ରରୁ ହୋଇଥିବା ବେଳେ, ଦୌବା କ୍ଷେତ୍ରରୁ ୩ ଜଣ ଏବଂ ୧୭ ଜଣ ପ୍ରାର୍ଥୀ ପଞ୍ଜାବର ମାଲୱା କ୍ଷେତ୍ର ବିଭିନ୍ନ ବିଧାନସଭା ଆସନରୁ ରହିଛନ୍ତି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସନ୍ତା ୨ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ ।
ପଞ୍ଜାବର ମୋଟ ୧୧୭ଟି ଆସନ ମଧ୍ୟରୁ ୩୭ଟିରେ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଏବଂ ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ) ସହିତ ବୁଝାମଣା ହୋଇଛି । ପୂର୍ବତନ ଅକାଳୀ ଦଳ ବିଧାୟକ ତଥା ସ୍ବର୍ଗତ ଡିଜିପି ଇଜହର ଆଲାମ ଖାନଙ୍କ ପତ୍ନୀ ଫରଜାନା ଆଲାମ ଖାନ ମାଲୱା ଅଞ୍ଚଳର ମଲେରକୋଟଲା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ ।
Comments are closed.